ପୂଜା ଫୁଲ
ପୂଜା ଫୁଲ
ପୂଜା ହେବା ବେଳେ ପୂଜା ଫୁଲ ଟିଏ
କହିଲା ଠାକୁର ପାଖେ
କାହିଁ ପାଇଁ ପ୍ରଭୁ ଏତେ ହୀନିମାନ
କରୁ ଅଛ ନିତି ମୋତେ ?
ଫୁଲ ବଗିଚା ରେ ପ୍ରକୃତି କୋଳ ରେ
ରହି ଥିଲି ଯେତେ ବେଳେ
ପରମ ଶାନ୍ତି ଓ ସନ୍ତୋଷ ଆନନ୍ଦ
ଭରି ଥିଲା ମୋ ଅନ୍ତରେ ।
ମହୁ ମାଛି , ଅଳି , ଭ୍ରମର , ପତଙ୍ଗ
ମେଳେ ମନ ମଉଜ ରେ
ରହି ଥିଲି ମୁଁହି ଫୁଲ ଗଛ ଡାଳେ
ଚିର ସନ୍ତୋଷ ଚିତ୍ତ ରେ ।
ସୁଗନ୍ଧ ବିଛାଡି ବିତରୁ ଥିଲି ମୁଁ
ପ୍ରତି କ୍ଷଣ ପ୍ରତି ପ୍ରାଣେ
ବୁଣେ ରସ ମୟ ଭାବ ର ମାଧୂର୍ଯ୍ୟ
ପରି ବେଶ ସଂରକ୍ଷଣେ ।
ସ୍ନିଗ୍ଧ ସୁୁଶୀତଳ ମଧୁର ମହେକ
ମୂର୍ଚ୍ଛନା ତୋଳି ପ୍ରୀତି ର
ସ୍ରୋତ ପ୍ରବାହିତ କରି ପ୍ରଶମିତ
ଦୁଃଖ, ଦୈନ୍ୟ ଦାହ ଭାର ।
କରୁ ଥିଲି ମୁଁ ହିଁ ତରୁ ଲତା ଡାଳେ
ଆକର୍ଷି ସବୁରି ମନ
ସ୍ନିଗ୍ଧ କମନୀୟ ଅପରୂପା ବେଶ
କାନ୍ତି ରେ ଦିଶି ସୁରମ୍ୟ ।
ମନଲୋଭା ଦିବ୍ୟ ସୁଷମା ପ୍ରବାହ
ଚେତନା ରେ ନବ ଭାବ
ସଂଚାରୁ ଥିଲି ମୁଁ ଖୁସିରେ ବିଭୋର
ଦର୍ଶକ ଚିତ୍ତ ବିମୁଗ୍ଧ ।
କରି ରହି ଥିଲି ହସି ଖିଲି ଖିଲି
କବିଙ୍କୁ ଦିଏ ପ୍ରେରଣା
ପ୍ରକୃତି ର ଚାରୁ ମଧୁର ମୂର୍ଚ୍ଛନା
ତୋଳି ଛନ୍ଦ ବୀଣା ଜିଣା ।
ସମୀର ହିଲ୍ଲୋଳେ ତାଳେ ତାଳେ ତୋଳେ
ତୁଳନା ହୀନ ସୁଷମା
ଲହରୀ ଖେଳାଇ ଗନ୍ଧ ଚହଟାଇ
ହରୁ ଥିଲି ମୁଁ ଚେତନା ।
ଉଡ଼ି ଉଡ଼ି ଆସି ବସୁ ଥିଲେ କେତେ
ଟିକି ଜୀବ ମୋ ଉପରେ
ନାନା ବିଦ୍ଧ ଗୀତ ଗାଇ ଅବିରତ
ଡେଇଁ ଡେଇଁ କି ଖୁସି ରେ ।
ହରଷେ ସରାଗେ ରସ ଆହରଣେ
ରତ ରହି ଥାନ୍ତି ସର୍ବେ
ଗଛୁ କାହିଁ ପାଇଁ ତୋଳି ଆଣି ମୋତେ
ଲଗାଉଛ ଏହି ଠାବେ ।
ଲାଗୁ ଥିଲା କେତେ ଖୁସି ମୋ ମନ ରେ
ଉନ୍ମାଦନା ଭରା ପ୍ରାଣ
ତୋଳି ଆଣିଥିବା ଫୁଲ କୁ କି ପାଇଁ
ସେବା ରେ ଭକ୍ତ ଅର୍ପଣ ।
କରି ଆହେ ପ୍ରଭୁ ଦେଉ ଅଛି ମୋତେ
ନିଦାରୁଣ ଏ କଷଣ
ପୂଜା ପାଇଁ ସର୍ବେ ବ୍ଯବହାର କରି
କରୁ ଛନ୍ତି ହୀନିମାନ ।
ପୂଜା ଫୁଲ ଟିର କଥା ଶୁଣି ପ୍ରଭୁ
କହିଲେ ତାକୁ ଆଶ୍ଵlସୀ
ବ୍ଯବହାର ପାଇଁ ବିଧି ଦିବାନିଶି
ଗଢ଼ୁ ଛନ୍ତି ଦ୍ରବ୍ୟ ରାଶି ।
ପ୍ରତ୍ୟେକ ଙ୍କ ପାଇଁ ବିଭିନ୍ନ ପ୍ରକାର
ବିଧାନେ ଅଛନ୍ତି ବାଣ୍ଟି
ବିଧି ବ୍ୟବସ୍ଥା କୁ ମାନି କି ଚାଲିଲେ
ଲଭନ୍ତି ସଭିଏଁ ଶାନ୍ତି ।
ଶେଫାଳି କୁସୁମ ବିଞ୍ଚି ଅନୁପମ
ଦିବ୍ୟ ଗନ୍ଧେ ସୁବାସିତ
କରେ ସିନା ରାତ୍ରୀ କାଳରେ ଝାଉଁଳି
ପଡେ ସେ ହେଲେ ପ୍ରଭାତ ।
ଭାଗ୍ୟ କୁ ଆଦରି ସଭିଏଁ ନିଜର
କାର୍ଯ୍ୟେ ଥାନ୍ତି ନିତି ରତ
ଭାଗ୍ୟ ଭଗବାନ ଆଦିର ବ୍ୟବସ୍ଥା
କରେ ସୁଖ ଶାନ୍ତି ହତ ।।

