ପୂଜା ନିଅ ହେ
ପୂଜା ନିଅ ହେ
ଆସେ ଯିଏ ଆଜି
ଚାଲିଯାଏ ସିଏ କାଲି
ବରଷାଟା ଆସି
ସେଲାଗି ଯାଇଛି ଚାଲି
ଏଇ ବେଳରେ
ଶରତ ଆସିଛି ଦୁଇ ମାସ ପାଇଁ
ରହିବ ଆମରି ମେଳରେ ।।
ଭାଦର ଅଶିଣ
ପରି ସତେ କିଏ କାହିଁ
ପାଣି କାଦୁଅର
ପଚର ପଚର ନାହିଁ
ଖୁସି ଜାଗେରେ
ପଠା ବେଣାପାଟ ଯୁଆଡେ ଚାହିଁଲେ
ସବୁ ତ ସୁନ୍ଦର ଲାଗେରେ ।।
ଏ ପରା ଧରାକୁ
ମାଆ ଆସିବାର ବେଳ
ସାହି ଭାଇ ସବୁ
ସେଲାଗି ହେଲେଣି ମେଳ
ଧରା ଧାମରେ
କାରିଗର ପୁଅ ଲାଗିଅଛି ମାଆ
ମୂରତି ଗଢିବା କାମରେ ।।
ସଜେଇ ହେଲାଣି
ପୂଜା ମଣ୍ଡପଟା ଏବେ
ଆଗରୁ ଯେମିତି
ନ ଥିଲା ସେମିତି କେବେ
ମନ ନିଏରେ
ବରଷକ ପରେ ମାଆ ଆସୁଛନ୍ତି
ଛୋଟ କଥା ନୁହେଁ ଇଏରେ ।।
କରୁଣାମୟୀ ଗୋ
ବେଗେ ଅବତରି ଆସ
ତୁମ ଆଗମନେ
ଚହଟୁ କୁସୁମ ବାସ
ପୂଜା ନିଅହେ
ଶହେଟି ଶରତ ଜୀଇ ରହିଥିବୁ
ଆଶିଷ ଅଜାଡି ଦିଅହେ ।।
