ପୁଷ୍ପାଞ୍ଜଳୀ ଜଳ
ପୁଷ୍ପାଞ୍ଜଳୀ ଜଳ
ତୁମେ ମାପୁଥିବ ଜହ୍ନର ଗୋଲେଇ
ପୂର୍ଣ୍ଣମୀ ରାତିରେ ଶୋଇ
ରୂପା ରାଜନୀରେ ନିଦାଘ ତାତିରେ
କୈମୁଦୀ କିରଣ ଖାଇ ।୧
ତୁମେ ଖୋଜୁଥିବ ପ୍ରୀୟ ମୁଁହବାସ
ଶର୍ବରୀ କବରୀ ତଳେ
ତତଲା ଲୁହରେ ଗଣ୍ଡ ଭିଜୁଥିବ
ବେପଥୁ କମ୍ପନ ମେଳେ ।୨
ତୁମେ ଝୁରୁଥିବ ନିଜର ମଣିଷ
ନି8ଶଙ୍ଗ ଶୟନ ବେଳେ
ନିରୋଳା ପ୍ରହର କାମନା କାତର
ଆଶାର କବର ଖୋଳେ ।୩
ମନର ଚନ୍ଦ୍ରମା ତୁମରି ଆକାଶେ
କେବେ ଉଇଁବ କେଜାଣି ?
ଭଟ୍ଟା ପଡ଼ିଯିବ ଯୌବନ ଯୁଆର
ଆସୁନ କାହିଁକି ଜାଣି ?୪
ଘରର ଜଞ୍ଜାଳ ଦିନରେ ପ୍ରବଳ
ବ୍ୟସ୍ତ ରଖୁଛି ମୋତେ
ରାତ୍ରୀ ଅନୁଚିନ୍ତା ଖଢେଇ ଜାଳୁଛି
ବିରହ ବ୍ୟଥାରେ କେତେ ।୫
କୁହୁକ କାଉଁରୀ ସ୍ପର୍ଶକୁ ଆବୋରୀ
କଳ୍ପନା ଚିତ୍ର ବିଚିତ୍ର
ତୁମ ସ୍ନେହ ପ୍ରେମ ସନ୍ତକ ସଉଧ
ବଞ୍ଚେଇ ରଖିଛି ମିତ୍ର ।୬
ସମୟ ତରଣୀ ସକାଳ ଆରୁଣି
ଆଉଁଶି ଉଠାଏ ମୋତେ
ରାତିସାରା ଭାବି କାନ୍ଦି ବିଲାପି ରାବି
କେମନ୍ତେ ବଞ୍ଚିବି କାନ୍ତେ ।୭
ବଳିୟାର ଭୂଜ ପତିତପାବନ ଧ୍ଵଜ
ତୁମରି ପାଦ ଆଧ୍ୟାୟୀ
ଆର୍ଯ୍ୟ ପୂତ୍ର ମୋର ଫେରନ୍ତ ସ୍ଵାଶରୀର
ନଯନ ଯୁଗଳ ସ୍ଥାୟୀ ।୮
ପ୍ରାଣପକ୍ଷୀ ଝୁରେ ଉକ୍ତି ନୈବେଦ୍ୟରେ
ରଙ୍ଗା ଚରଣ କମଳ
ଯୁଝିବାକୁ ରଣେ ଦିଅ ଗଣ୍ଡେ ପଣେ
ଅଳି ପୁଷ୍ପାଞ୍ଜଳୀ ଜଳ ।୯

