STORYMIRROR

Kulamani Sarangi

Classics

2  

Kulamani Sarangi

Classics

ପୁରୁଷୋତ୍ତମ ଦେବ ( ୩୮ )

ପୁରୁଷୋତ୍ତମ ଦେବ ( ୩୮ )

1 min
328


ପୁରୁଷୋତ୍ତମ ଦେବ ( ୩୮)

(ଐତିହାସିକ କାବ୍ୟାଂଶ)


" ଜୟ ମା'ତାରିଣୀ ଦୁର୍ଗତି ନାଶିନୀ

ଚତୁର୍ଭୁଜା * ମହାମାୟୀ,

ଏ ଘୋର ଅରଣ୍ୟ ମାୟାରେ ହଜି ମା'

ମୋ ସଙ୍ଗେ ଆସିଲୁନାହିଁ।

ଶାଳବନ ଘେରା ନିଘଞ୍ଚ ବନାନୀ

ପ୍ରକୃତି ପ୍ରାଚୂର୍ଯ୍ୟ ଦେଖି,

ରହିବାକୁ ଇଚ୍ଛା ହେଲାବୋଲି ମାୟା-

ରଚି ମୋତେ ଦେଲୁ ଠକି।"

କହି ଭଞ୍ଜବୀର କାରୁଣ୍ୟେ ଅସ୍ଥିର

ସ୍ତବ୍ଧ ହେଲା ବନଭୁଇଁ,

ପଶୁ,ପକ୍ଷୀ,ବୃକ୍ଷ,ଲତା ସ୍ଥିର ହୋଇ

ଭଞ୍ଜଙ୍କୁ ରହିଲେ ଚାହିଁ।

କେଉଁଝର ଗଡ ସେହିଠାରୁ ଦୂର

ପଚିଶି କୋଶ ମାତର,

ଗଡରୁ ପୂଜକ ଡକାଇ ଗୋବିନ୍ଦ

ବ୍ୟବସ୍ଥା କଲେ ପୂଜାର।

ମହା ଆଡମ୍ବରେ ପ୍ରତିଷ୍ଠା କରାଇ

ସେଠାରେ ମାତା ତାରିଣୀ,

କେନ୍ଦୁଝର ଗଡେ ଗୋବିନ୍ଦ ଫେରିଲେ

ମାତା ନାମ ଗୁଣି ଗୁଣି।

ସେହିଦିନଠାରୁ ପୂଜା ପାଉଛନ୍ତି

ଘଟଗ୍ରାମରେ ଜନନୀ,

ଡାକଦେଲେ 'ଓ' କରନ୍ତି ପ୍ରତ୍ୟେକ୍ଷେ

ଦୁର୍ଗେ ଦୁର୍ଗତି ନାଶିନୀ।

ଜୀବନେ ଯାହାର ଆସେ ଅନ୍ଧକାର

ଦେଖାନ୍ତି ଆଲୋକ ପଥ,

କରୁଣାମୟୀ ସେ କରୁଣା କାର୍ପଣ୍ୟ

ନକରନ୍ତି କଦାଚିତ।

ନାଲିଆ କନାରେ ଗୁଡାଇ ନଡିଆ,

ତା'ସଙ୍ଗେ ଶଙ୍ଖା,ସିନ୍ଦୁର,

ମନ୍ଦାରଫୁଲକୁ ଅରପଣ କଲେ

ଶରଧା ତାର ଅପାର।

ଚଇତ ମାସରେ ଜନମ ଦିନରେ

ଚଇତି ପରବ ବେଳେ,

ହୁଏ ଅସୁମାରୀ ଭକ୍ତ ସମାଗମ

ଆନନ୍ଦେ ପୀଠ ଉଛୁଳେ।

ଚତୁର୍ଭୁଜା ମାତା,ତିନି ହାତେ ତାର

ଚକ୍ର,ଶୁଳ ପୁଣି ଖଣ୍ଡା,

ସିନ୍ଦୁର ଚର୍ଚ୍ଚିତ ମୁଖ ହୋଇଥାଏ

ମନ୍ଦାରଫୁଲରେ ମଣ୍ଡା।

ଯେଉଁଠାରେ ଭକ୍ତ ଥାଉ,ଭକ୍ତିମନେ

ନଡିଆ ପଠାଇ ଦେଲେ,

ନିଶ୍ଚିତ ପହଞ୍ଚି ଯାଏ ମାତା ପାଶେ,

ସନ୍ଦେହ ନଥାଏ ତିଳେ।

ହିନ୍ଦୁ,କିରସ୍ତାନ ଅଥବା ପଠାଣ

ଯା'ହାତେ ଦିଅ ନଡିଆ,

ଗୃହିତ ହୁଏସେ ତାରିଣୀ ପୀଠରେ

ମନ୍ଦିରେ ହୁଏ ବାଡିଆ।

ଶହ ଶହ କୋଶ ଦୂରରୁ ଡାକିଲେ

ଡାକ ଶୁଣିଥାଏ ମାଆ,

ଏପରି ପ୍ରତ୍ୟକ୍ଷ ଠାକୁରାଣୀ କହ

ଦେଖିଅଛ କାହିଁ ଆହା !

ସୀତାଙ୍କୁ ହରାଇ ଘୋର ବିପିନରେ

ଯେବେ ବୁଲୁଥିଲେ ରାମ,

ବିଜୟ ନଗର ନିକଟ ଅରଣ୍ୟେ

ଥିଲା ତାରିଣୀଙ୍କ ଧାମ।

ରାବଣ ସହିତ ରଣ ସମୟରେ

ତାଙ୍କ ସହାୟତା ପାଇଁ,

ଅନୁରୋଧ କରିଥିଲେ ରଘୁପତି,

ମାତା ଥିଲେ ରାଜି ହୋଇ।

କହିଥିଲେ ମାତେ "ପୂଜନର ଅନ୍ତେ

ତୁମ୍ଭ ସଙ୍ଗେ ଯିବି ରାମ,

ପୂଜା ସମୟରେ ଆଖି ବୁଜିଥିବ,

ଫିଟିଲେ ମୁଁ ହେବି ବାମ।"

ଆଖି ବୁଜିଦେଇ ପୂଜା କରୁଥିଲେ

ଦେବୀଙ୍କୁ ରଘୁ ନନ୍ଦନ,

ଅଜାଣତେ ଚକ୍ଷୁ ଖୋଲିଗଲା ତହୁଁ

ଦେବୀ ହେଲେ ଅନ୍ତର୍ଦ୍ଧାନ।

ହେଲା ଶୂନ୍ୟବାଣୀ "ଶୁଣ ରଘୁମଣି

ସ୍ୱଦେହେ ନଯିବି ମୁହିଁ,

ଆଶୀର୍ବାଦ ମୋର ରହିଲା,ଯୁଦ୍ଧରେ

ଜୟ ହେବ ରଘୁସାଇଁ।"

ସେହିଦିନଠାରୁ ବିଜୟ ନଗର

ଅରଣ୍ୟରେ ଥିଲେ ମାତେ,

କାଞ୍ଚି ଅଭିଯାନ ସମୟରେ ଯୁଦ୍ଧ

କଲେ ଗଜପତି ସାଥେ।

ଏବେ ଆସି ପୁଣି ରହିଲେ ଜନନୀ

ଘଟ ଗାଆଁ ଅରଣ୍ୟରେ,

ଜୟ ମା'ତାରିଣୀ ଘଟଗାଁ'ବାସିନୀ,

ଦୟାକର ପାର୍ବଣରେ।

*ମା'ତାରିଣୀ ଚତୁର୍ଭୁଜା ଅଟନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics