ତୁଳସୀ ଅପୂଜା ରହେ
ତୁଳସୀ ଅପୂଜା ରହେ
କ୍ଷେତରେ ଫଳାଏ ଅନ୍ନ ଚାଷୀ ପୋଛି ଝାଳକୁ,
ଆମକୁ ବଞ୍ଚାଏ ଦେଇ ଶସ୍ୟ ଫଳ-ମୂଳକୁ |
ଚାଷୀ ବୁଦ୍ଧି ଶ୍ରମ କଷ୍ଟ ହୁଏନାହିଁ ବିଚାର,
ସବୁ ଶ୍ରେୟ ଲାଭ ପାଏ କରୁଛି ଯେ, ବେପାର |
ମାଆ ସିନା ଜନ୍ମଦେଇ ପାଳେ ନିଜ ଛୁଆକୁ,
ଅସଲ ବେଳେ ସେ ଛୁଆ କହେ ବାପା ନାଆଁକୁ |
ଶିକ୍ଷାଗୁରୁ ଦୀକ୍ଷାଗୁରୁ ଆଦ୍ୟଗୁରୁ ଜନନୀ,
ସବୁହେଇ ଗୁରୁଭାବେ ମାନ୍ୟତା ସେ ପାଏନି |
ଲେଖକ ଭାବୁକ କବି ଲେଖୁଛନ୍ତି ପୁସ୍ତକ,
ସେହି ପୁସ୍ତକକୁ ଧରି କହୁଛନ୍ତି ଶିକ୍ଷକ |
ଠୁଳକରି ବିଚାରକୁ ଟାଣକରି ଛାତିକୁ,
ବିନା ଦରମାରେ ଖଟେ ଦିନକରି ରାତିକୁ |
ଗୁରୁ ପଦବାଚ୍ୟ କେବେ ହୁଏନାହିଁ ଲେଖକ,
ବ୍ରହ୍ମା ବିଷ୍ଣୁ ମହେଶ୍ଵର ହୋଇଥା'ନ୍ତି ଶିକ୍ଷକ |
ଅସଲ ଗୁରୁ ମୋ ମାଆ, ଅନ୍ନଦାତା କୃଷକ,
ଲେଖକ ହିଁ ଜ୍ଞାନଦାତା ଶିକ୍ଷାଦାତା ଶିକ୍ଷକ |
ସଭିଏଁ ମୋ ପାଇଁ ପୂଜ୍ୟ ଈଶ୍ୱରଙ୍କ ସ୍ୱରୂପ,
ଗୁରୁ ଦିବସେ ପ୍ରଣାମ କରେ ଯିଏ ଅରୂପ |