STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ପୁରାଣ ଯୁଗରୁ ସେ ଅପରାଜିତା

ପୁରାଣ ଯୁଗରୁ ସେ ଅପରାଜିତା

2 mins
17


ମୋହିନୀ ବେଶରେ ମନ ମୋହି ବିଷ୍ଣୁ

ପରଷି ଥିଲେ ଅମୃତ

ଦେବ ଦୈତ୍ୟ କଳି ହେଲା ସମାଧାନ

ପରିବେଶ ହେଲା ଶାନ୍ତ

ବର ପ୍ରାପ୍ତି ପରେ ସବୁ ଦୈତ୍ୟ ଗଣ 

ପ୍ରାୟ ଉତ୍ପାତ ସ୍ଵର୍ଗରେ

ଥର ହର ଦେବଗଣ ଗୁହାରି କରନ୍ତି

ଯାଇ ବିଷ୍ଣୁ ନିକଟରେ

ପ୍ରତି ଥର ଦେବୀଙ୍କର ସହାୟତା

ପ୍ରାପ୍ତ ଭିନ୍ନ ଭିନ୍ନ ରୂପେ

ସ୍ଵର୍ଗ ପୁର ରକ୍ଷା ପାଇଁ ଦୈବୀ ଶକ୍ତି

ସଦା ପ୍ରୟୋଗ ହୋଇଛି

କେବେ ଦୁର୍ଗା କେବେ କାଳୀ କାତ୍ୟାୟନୀ

ଦୈବୀ ଶକ୍ତି ନାରୀ ରୂପା

ଦେବ ଗଣ ଶକ୍ତି ହୀନ ଆଶା ଶୁନ୍ୟ

ପରେ ଦେବୀଙ୍କର କୃପା


ନାରୀକୁ ଲୋଲୁପ ଦୃଷ୍ଟିରେ ଦେଖିଲା

ଲଙ୍କାର ଜ୍ଞାନୀ ରାବଣ

ନାରୀ ହରଣ ଜନିତ ଅପକର୍ମ 

ଅଚିରେ ହେଲା ନିଧନ

ଭଉଣୀକୁ କାରାଗାରେ ନିର୍ଯାତନା 

କଷ୍ଟ ଦେଇ ପାପୀ କଂସ

ଭଉଣୀ ଗର୍ଭର ଅଷ୍ଟମ ସନ୍ତାନ

ଦେଖୁ ଦେଖୁ ହେଲା ଧ୍ଵଂସ

ରାଜ ଦରବାର ସ୍ଥଳେ ବିବସନା

ଏକ ନିର୍ଦ୍ଦୋଷ ନାରୀର

କୁରୁ ରାଜ ବଂଶ ଧ୍ଵଂସ ପ୍ରାପ୍ତ ହେଲା

ଧ୍ଵଂସ ହେଲା ପରିବାର

ଠାକୁର ଦି' ଭାଇ ନିନ୍ଦିଲେ ନାରୀକୁ

ଲକ୍ଷ୍ମୀ ଛାଡ଼ି ଲକ୍ଷ୍ମୀ ଛଡ଼ା

ଅନ୍ନ ମୁଠେ ମିଳିଲାନି ଖାଇବାକୁ

ହାତେ ନ ଶିଝିଲା ଖଡା


ନାରୀକୁ ସମ୍ମାନ ସହ ମିଠା କଥା

କହିଲେ କୃଷ୍ଣ ନାଗର

ରାଧା ପ୍ରେମ ଉବୁ ଟୁବୁ ହେବା କଥା

ଜାଣି ଗଲା ଗୋପ ପୁର

ରାଧା ପ୍ରେମ ଅପରାଜିତା ରୂପରେ

ଅଛି ଯୁଗ ଯୁଗ ଧରି

ରାଧା ନାମ ଯୋଡ଼ି ହେଲା କୃଷ୍ଣ ସହ

ରାଧାକୃଷ୍ଣ ସର୍ବୋପରି


ନାରୀ କୁ ସମ୍ମାନ ସହିତ ମର୍ଯ୍ୟାଦା 

ପ୍ରାପତ ହୁଏ ଯେଉଁଠି

ନିଜ ବହୁ ମୁଖି ପ୍ରତିଭା ବଳରେ

ଅପରାଜିତା ସେଇଠି 

ଘର ହେଉ ଅବା ବିକଶିତ ଦେଶ

ନାରୀ ହୋଇଲେ ପୂଜିତା

ନିଜର ପ୍ରଗତି ଦେଶର ଉନ୍ନତି

ହେବ ସେ ଅପରାଜିତା

ମା' କନ୍ୟା ଭଗ୍ନୀ ଓ ପତ୍ନୀ ଭୂମିକାରେ

ଦାୟିତ୍ଵ ତୁଲାଇ ନାରୀ 

ମଥାରେ ପିନ୍ଧିଛି ବିଜୟ ର ଟୀକା

ଅପରାଜିତା ସେପରି

ଶିକ୍ଷା ଓ ସଂସ୍କାର ମାର୍ଜିତ ହୋଇଛି

ଆଧୁନିକ ସମାଜରେ

ଘର କାମ ଠାରୁ ଯୁଦ୍ଧ କ୍ଷେତ୍ର ଯାଏଁ

ନାରୀ ସହଯୋଗ କରେ

ଶିକ୍ଷା ସ୍ବାସ୍ଥ୍ୟ କ୍ରୀଡା ଶାସନ ବିଜ୍ଞାନ

ଅବା ଯୁଦ୍ଧ ପ୍ରାଙ୍ଗଣରେ

ଆଗ୍ରହ ସହିତ ନୈପୁଣ୍ୟ ପ୍ରାପତି

ନାରୀ ଲଭୁଚ୍ଛି ଅଚିରେ

ନାରୀ ପକ୍ଷେ ମହାକାଶ ଗବେଷଣା 

ନୁହଇ ଅପରିଚିତ

ଦେଶର ପ୍ରଥମ ନାଗରିକ ପଦେ

ହୋଇଅଛି ପ୍ରତିଷ୍ଠିତ

ଶକ୍ତି ଜ୍ଞାନ ଆଉ ସହନଶୀଳତା

ବହୁମୁଖି ଅବଦାନ

ଅପରାଜିତା ସ୍ବଭାବ ଆଢ଼ୁଆଳେ

ନାରୀର ସହିବା ଗୁଣ


ନାରୀ ନୁହେଁ ମାତ୍ର ଉପଭୋଗ୍ୟ ବସ୍ତୁ

ଘର ଓ ଦେଶ ଇଜ୍ଜତ

ସମ୍ମାନ ର ସହ ପୁରୁଷ ମେଳରେ

ରହିଲେ ବଢ଼େ ମହତ

ପୁରୁଷ ମହିଳା ଉଭୟେ ସମାନ

ଉଲ୍ଲେଖ ସମ୍ବିଧାନରେ 

ମହିଳା ଦିବସ ପାଳନ ହେଉଛି

ମାର୍ଚ୍ଚ ଆଠ ତାରିଖରେ

ସହଯୋଗ ହାତ ରହୁ ସଭିଙ୍କର

ନାରୀର ପ୍ରଗତି ପଥେ

ଅପରାଜିତା ର ପଦବୀ ଅକ୍ଷୁର୍ଣ୍ଣ

ସଦା ରହୁ ଦେଶ ହିତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract