ପୁଞ୍ଜିପତିର ଅହଂକାର ଧ୍ୱଂସ ହେବ
ପୁଞ୍ଜିପତିର ଅହଂକାର ଧ୍ୱଂସ ହେବ
ସରବ ପ୍ରକାର ଜ୍ଞାନ ତ ଉତ୍ପନ୍ନ
ହୁଅଇ, ଶିକ୍ଷାରେ,
ମଣିଷର ମାନ ଓ ପ୍ରତିଷ୍ଠା ପ୍ରାପ୍ତ
ହୁଅଇ ଶିକ୍ଷାରେ |୧|
ଆତ୍ମଗର୍ଵ ସୃଷ୍ଟ ହେଲେ ବିଦ୍ୟାକୁ
ନଷ୍ଟ କରି ଦିଏ,
ନିଜସ୍ୱ ପ୍ରାକୃତିକ ଆନନ୍ଦ ସ୍ୱଭାବକୁ
ମାରି ଦିଏ |୨|
ଅହଂକାର ଜାତ ହୁଏ, ଶୋଷଣ
ଲବ୍ଧ ଧନରେ,
କାରଣ, ଧନ ସେ ପାଇ ନାହିଁ
ଶ୍ରମର ବଳରେ |୩|
ଧନ ଓ ଯୌବନ କେବେ ନୂହେଁ
ଚିର ସହଚର,
ସହନଶୀଳତା ନଥାଏ ଯାହାର
ରହିଛି ଅହଂକାର |୪|
ଧନ, ଯୌବନ ଓ ଲୋଭ ସୃଷ୍ଟି
କରଇ ଅହଂକାରକୁ,
ଅହଙ୍କାରୀ ହରାଇ ଥାଏ ସରବ
ଖୁସି ଓ ଆନନ୍ଦକୁ |୫|
ଯେତେ ଜ୍ଞାନ ଥିଲେ ମଧ୍ୟ ଗରବ
ଟାଣେ ମୁର୍ଖତାକୁ,
ବିନା ଯୋଗ୍ୟତାରେ ବି ଶାସନ
କରିବା ରାଜାକୁ |୬|
ଏବେ ଏହି ଚରିତ୍ର ପାଇବା ସଦା
ସାରା ଧରାରେ
ସଂସାରେ ଶାସନ କରନ୍ତି ସେ ମଦ
ଟଙ୍କା ବାଣ୍ଟିରେ |୭|
ଧନ ଠୁଳ କରିଛନ୍ତି ଶ୍ରମିକର ଶ୍ରମକୁ
ଶୋଷଣ କରି
ଭାବନ୍ତି ପୁଞ୍ଜିବାଦ ଶାସନ ରହିଛି, ରହିବ
ଯୁଗ ଯୁଗ ଧରି |୮|
କିଛି ପଣ୍ଡିତ ଖୁସି କରିଥାନ୍ତି ପୁଞ୍ଜିବାଦୀ
ଶାସନକୁ
ତର୍କ ମାଧ୍ୟମରେ ଭୁଲ ପରିଣତ କରନ୍ତି
ଠିକ୍ କଥାକୁ |୯|
ରକ୍ତ ନିଗାଡି ତୋଳେ ଶ୍ରମିକ, ପ୍ରାସାଦ
ମାଳକୁ ମାଳ
ପିଲାଙ୍କ ପେଟ ପାଇଁ ରାଜଦାଣ୍ଡେ ଠିଆ
ହେଲେ ଚଳାଅ ବନ୍ଧୁକ ମୂନ |୧୦|
ବରଷା ପବନ ଶୀତ ଖରା ସହି ହସାଏ
ସୁନାର ଖେତ
ଚୁଲି ଜଳେନି ପେଟ ଭରେ ନାହିଁ ପାଏନି
ମୁଠାଏ ଭାତ |୧୧|
ବନ୍ଧୁକ ଶକ୍ତି ଦେଖାଇ କୃଷକଠୁ ନେଲରେ
ସବୁ ସାଉଁଟି
କଙ୍କାଳ ମାଳ କାଙ୍ଗାଳ କୁହ ପେଟ ବଢେଇ
ତୁମେ ଲୁଣ୍ଠନକାରୀଟି |୧୨|
ତୁମେ କି ବୁଝିବ ଦରିଦ୍ର ବୁକୁର ବେଦନା,
ସେ କେତେ ଅସହ୍ୟ
ହୃଦୟ ତ ନାହିଁ ପୁଞ୍ଜିର ନିଶାରେ, ପ୍ରକୃତି
କେମିତି କରିବ ସହ୍ୟ |୧୩|
କାନିକା ମାଂସ ଖିରିପୁରୀ ଖାଇ ତ୍ରିତଳ
ପ୍ରାସାଦେ ଜୀବନ କାଟ
ବୋଲାଅ ସର୍ବହରା, ଆମେ ତୋରାଣୀ
ମୁନ୍ଦେରେ ଭରୁଛୁ ପେଟ |୧୪|
ମାର୍କ୍ସବାଦର ଇସ୍ତାହାର, ହେ ତୁମେ ଲେଖି
ଯାଇଛ ଶ୍ରମିକ ପାଇଁ,
ପୀଡ଼ିତ ପ୍ରାଣର ମରମ ବେଦନା ସେଥିରେ
ଯାଇଅଛ ଗାଇ |୧୫|
ଖୋଜୁଛି ତମକୁ ଚାଷୀ ଓ ଶ୍ରମିକ ସମାଜ
ଭିଜା ଭିଜା ଆଖି ନେଇ
ହେ ବିପ୍ଳବୀ, ଖୋଜୁଛି ତମକୁ, ଚିର ଲାଂଛିତ
ଅଶ୍ରୁର ଆଖିରେ ଶ୍ରମିକ ଭାଇ |୧୬|
ତମର ସେ ଜ୍ଞାନର ବହ୍ନି ଶିଖା ଏବେ ବି ଲିଭିନି
ଜଳୁଛି ଅଲିଭା ହୋଇ
ଆମେ ମେ ପହିଲାର ହେଉ ଏକତ୍ରିତ, ଆମ
ଶିର କେବେ ନଇଁବ ନାହିଁ |୧୭|
ପୁଞ୍ଜିବାଦରେ ଶୋଷଣ, କଷଣ, ଲୁଣ୍ଠନ ଓ ଧର୍ଷଣ
ବଢ଼ୁଛି ଦିନକୁ ଦିନ
ଆମେ ତ ଶୋଷିତ ଆମର ଭାଗ୍ୟକୁ ବଦଳାଇବା
ଲାଗି ଦରକାର ନାହିଁ ଭଗବାନ |୧୮|
କମ୍ୟୁନିଷ୍ଟ ମାନିଫେଷ୍ଟରେ ତମେ କହିଅଛ ଶ୍ରମିକ
ନିଜ ଅଧିକାର ପାଇଁ
ଭାଗ୍ୟ ଭଗବାନ ଛାଡି ସାଲିସ୍ ବିହୀନ ସଂଗ୍ରାମ
ଲୋଡ଼ା କ୍ରାନ୍ତିର ଗୀତି ଗାଇ |୧୯|
ଦୁନିଆର ଶ୍ରମିକ ହୁଅ ଏକାଠି, ଡାକରା ଦେଲ
ସର୍ଵହରାଙ୍କ ଲାଗି
ବୁର୍ଜୁଆ ଶୋଷକର ରକ୍ତରଞ୍ଜିତ ସିଂହାସନ ତମେ
ଅଚିରେ ଦେଇଛ ଭାଙ୍ଗି |୨୦|
ରକ୍ତ ମାଂସ ଧରି ଶୋଷଣ, କେତେ ଯେ ସହିବୁ,
ଆଉ ସହିବୁନି ତୁମ ଅନୀତି
ଧରା ପକେଇବୁ କଅଁଳ କଥାର ଛଦ୍ମ ବେଶ ତୁମ
କହି ପାରିବୁନି ତୁମେ ହିଁ ସତୀ |୨୧|
ଶ୍ରମର ପ୍ରାପ୍ୟ ଆମର ନେବୁରେ ଛଡେଇ ଅଛୁ
ଯେତେ ନିଷ୍ପେସିତ ଶ୍ରମିକ ଜାତି,
କୋଣ ଅନୁକୋଣେ, ହୋଇଛୁ ଜାଗ୍ରତ,ରହିଲୁଣି
ଆମେ ଶ୍ରମିକ ଭାଇ ସଭିଏଁ ତାତି |୨୨|
ଆସ ଆସ ଚାଷି ଶ୍ରମିକର ଜାତି ଜାଗ୍ରତ ହୁଅ
ଶୋଷକ କୁଳକୁ ଦେବାରେ ନାଶି
ଲାଲ ପତାକାରେ ଥରାଇବା ଆମେ ଧରଣୀ
ଆକାଶ ସମସ୍ତେ ମିଶି |୨୩|
