ପୁଣ୍ୟ ବୈଶାଖ
ପୁଣ୍ୟ ବୈଶାଖ
ବୈଶାଖ ଆସଇ ମରତକୁ ଛୁଇଁ
ଚୈତ୍ର ମାସ ଯିବା ପରେ,
ଓଡ଼ିଆ ବର୍ଷରଆଦ୍ୟ ମାସ ଏହା
ମାନିଥାନ୍ତି ଭକ୍ତି ଭରେ l
ସୂର୍ଯ୍ୟ ରହିଥାନ୍ତି ବିଷୁବ ରେଖାରେ
ତପତ ହୁଏ ଧରଣୀ,
ଜଳଧାର ସବୁ ଶୁଖି ଯାଇଥାଏ
ଅଭାବ ହୁଅଇ ପାଣି l
ଉଦ୍ଭିଦ ଙ୍କ ଠାରୁ ସବୁ ଜୀବ ମାନେ
ହୋଇଥାନ୍ତି ଛଟପଟ,
ଜଳର ଅଭାବେ ଗରମ ପ୍ରଭାବେ
ପାଆନ୍ତି ବହୁତ କଷ୍ଟ l
ଜଳ ଛତ୍ର ଦାନ କରିଥାନ୍ତି ଜନ
କେତେ ଛକ ସ୍ଥାନ ପରେ,
ଜଳ ଦାନ ଠାରୁ ବଡ଼ ଦାନ କିଛି
ନାହିଁ ଏହି ବୈଶାଖରେ l
ବୈଶାଖ ମାସରେ ବୈଶାଖୀ ବହେ
ଝାଞ୍ଜି ପବନ କୁ ନେଇ,
କେବେ ପୁଣି କାଳ ବୈଶାଖୀ ରୂପରେ
ତାଣ୍ଡବସେ ରଚିଥାଇ l
ବୈଶାଖ ମାସର ପ୍ରଥମ ଦିନଟି
ପଣା ସଂକ୍ରାନ୍ତି ତା ନାମ,
ପବିତ୍ର ତୁଳସୀ ଗଛେ ଠେକି ବାନ୍ଧି
ମାସେ କାଳ ଜଳ ଦାନ l
ଅକ୍ଷିତୃତୀୟାଟି ପଡେ ଏମାସରେ
ଚାଷହୁଏ ଅନୁକୂଳ,
କୃଷକ ଭାଇଟି ଶସ୍ୟ ନେଇ ବୁଣେ
ବିଲରେ କରି ତା ହଳ l
ନୃସିଂହ ଚତୁର୍ଦ୍ଦଶୀ ପାଳନ କରନ୍ତି
ନୃସିଂହ ଙ୍କ ଜନ୍ମଦିନ,
ଶନିବାର ହୁଏ ଶନିଶ୍ଚରମେଳା
ପୂଜନ୍ତି ସକଳ ଜନ l
ବୈଶାଖୀ ପରବ ପାଳନ କରନ୍ତି
ପଞ୍ଜାବରେ ଶିଖ ମାନେ,
ଧର୍ମଗୁରୁଙ୍କ କୃପାଣ ଶୋଭା ଯାତ୍ରା
ବାହାରଇ ଧର୍ମ ସ୍ଥାନେ l
ଚନ୍ଦନ ପୂର୍ଣ୍ଣିମା ଓଡିଶା ରେ ହୁଏ
ପୂର୍ଣ୍ଣିମା ତିଥି ଆସିଲେ,
ଜଗନ୍ନାଥ ଙ୍କର ଚନ୍ଦନ ଜାତଯେ
ଚାପ ନରେନ୍ଦ୍ର ର ଜଳେ l
ଭିତର ଚନ୍ଦନ ବାହାର ଚନ୍ଦନ
ମାସେ କାଳ ହୋଇଥାଇ,
କେତେ ପୁଣ୍ୟ ମୟ ମାସଟି ବୈଶାଖ
ତାହାର କଳନା ନାହିଁ l
