ପୁଂଜିବାଦୀ ବ୍ୟବସ୍ଥାକୁ ପ୍ରତ୍ୟାଖାନ
ପୁଂଜିବାଦୀ ବ୍ୟବସ୍ଥାକୁ ପ୍ରତ୍ୟାଖାନ
ଅନ୍ୟାୟ ଦୁର୍ନୀତି ଚାଲେ ପ୍ରତି ସ୍ଥାନେ ନାହିଁ
ସତ୍ୟତା କେମିତି ପାଉଛେ ଶାନ୍ତି
କାହିଁକି ଆମେ ଜନ ସାଧାରଣ ନୀରବରେ
ବସିଛେ ଦେଖି ସବୁ ରୀତି ନୀତି ।
ଉଠ କଙ୍କାଳ, ଜାଗ ଦୁର୍ବଳ ବିନାଶିବା
ପୁଂଜିବାଦୀ ନର ରାକ୍ଷସଙ୍କୁ
ବଜାଇବା ଶାନ୍ତି ମୈତ୍ରୀର ଶଙ୍ଖ, ଅଧର୍ମ
ଅନୀତି ଶୋଷଣ ପଦା କରିବାକୁ l
ମୁନୀ ଋଷି, ଶାସ୍ତ୍ରବିତ ମହାପୁରୁଷ ରଚି ଅଛନ୍ତି
ସମାଜବାଦର ଅମୂଲ୍ୟ ବାଣୀ
ସେଇ ସବୁ ଜ୍ଞାନ ଅଟଇ ମହାନ୍, ଲିଖିତ ବାଣୀକୁ
କାର୍ଯ୍ୟରେ ଲଗାଇବା ଜାଣି ।
ଅଭିନୟ ଦେଖି, ପ୍ରତିଟି ଦିବସ ଆମର ଯାଉଛି
ପ୍ରତୀକ୍ଷାରେ, ଆସିବରେ ଭଲ ଦିନ
ମିଛର ମନ୍ତ୍ରରେ, ଆମ ଭାଵନାକୁ ଧୋକା ଦେଇ
ଚାଲେ, ଦୁଃଖ ହୁଏ ଆମ ମନ କୁଞ୍ଜବନ l
ଏଇ ଦୁନିଆରେ ତୀକ୍ଷ୍ଣ ଅସୀ ଧାରେ ଆଗକୁ
ଚାଲୁଛେ ଆଶା ଆଉ ଭରସାରେ
ବିପ୍ଳବ ଓ ନୂତନତା ସନ୍ଧାନର ଶିକ୍ଷା ଅନ୍ଧର
ଲଉଡ଼ି, ବଳବନ୍ତ କରେ ବିଶ୍ୱ ବଜାରେ l
ଦାନର ଭୋଜନ, ବସନ ଭୂଷଣ ଆଭୂଷଣରେ
ମହତ ହୋଇଛି କି କେବେ କେଉଁ ଜନ
ମିଛୁଆ ଯେଉଁ ବ୍ୟକ୍ତି, ରଙ୍ଗରେ ରଙ୍ଗିଲେ ସେଇ
କି ହୁଏ ହୀରକ ଭାଜନ l
ହୃଦୟ ଭିତରୁ ଜ୍ଞାନଶିକ୍ଷା ବିହୀନ ଗୀତା ପଢିଲେ,
ଶୃଙ୍ଖଳା ଶିଖିବକି କେବେ ଜୀବନରେ
ହୁଏ ବାଚାଳର ଶବ୍ଦ, ରାଜନୀତି ସ୍ୱାର୍ଥେ, ସେ କି
ନୂତନତା ସୃଷ୍ଟିର ପଥ ପ୍ରଦର୍ଶକ ହେବରେ l
ସୁବ୍ୟବସ୍ଥାର ସମାଜ ଗଢିବା ପାଇଁ ଉଠ କଙ୍କାଳ,
ଜାଗ ଦୁର୍ବଳ ପାଇବା ମୁକତିର ଜୀବନ
କଳଙ୍କିତ ପୁଂଜିବାଦୀ ବ୍ୟବସ୍ଥାକୁ ଦୃଢତା ସହିତ
କରିବା ଆମେ ପ୍ରତ୍ୟାଖାନ l