STORYMIRROR

Krushnapriya Mohapatra

Inspirational

4  

Krushnapriya Mohapatra

Inspirational

ବିଲ୍ୱମଙ୍ଗଳ

ବିଲ୍ୱମଙ୍ଗଳ

2 mins
248

ଶୁଣ ସୁଜ୍ଞାନୀ ଦେଇ ମନ

ସତସଙ୍ଗ କରେ ଯେଉଁ ଜନ।


ତାର ସୁଫଳ ପାଏ ଅତି

ନେଇ ନ ଥାଏ ଜନ୍ତୁପତି।


ନର୍କ ଯନ୍ତ୍ରଣା ପାଏ ନାହିଁ

ସ୍ୱର୍ଗ ଯେ ମୃତ୍ୟୁ ଅନ୍ତେ ଯାଇ।


ବିଲ୍ୱମଙ୍ଗଳ ବୋଲି ଏକ

ଥିଲା ଯେ ଅଧମ ଯୁବକ।


କର୍ମ ନ କରେ କେବେ କାହିଁ

ହୋଇଛି ବେଶ୍ୟାଶକ୍ତ ସେହି।


ଗୃହେ ତା ପିତା ମାତା ଥାନ୍ତି

ଦୁଃଖରେ କାଳ ସେ କାଟନ୍ତି।


ପୁତ୍ରର ଦେଖି ଏ ବେଭାର

ଉପାୟ କଲେ ହୋଇ ସ୍ଥିର।


ପୁତ୍ରକୁ କରାଇବା ବିଭା

ବଦଳି ଯିବ ବୋଲି ଅବା।


ପତ୍ନୀ ସଙ୍ଗତେ ରହି ଘରେ

କରିବ କର୍ମ ଅବା ପରେ।


ଏମନ୍ତ ବିଚାରି ମନରେ

ସୁଶୀଳା କନ୍ୟାଏ ବରିଲେ


ବିବାହ ଉପରାନ୍ତେ ବିଲ୍ୱ

ଚଳିଲା ବେଶ୍ୟାର ମନ୍ଦିର।


ତା ଦେଖି ପିତା ମାତା ଅତି

ନିଜ କର୍ମକୁ ସେ ନିନ୍ଦନ୍ତି।


ଏମନ୍ତେ ପୁତ୍ର ଗୁଣ ଦେଖି

ଦୁଃଖରେ ପିତା ବୁଜେ ଆଖି।


ପତ୍ନୀ ମାତା ଯେ ଖୋଜି ତାକୁ

ଗଲେ ସେ ବେଶ୍ୟା ସଦନକୁ।


ପତ୍ନୀ ତା ଅତି ପୁଣ୍ୟବତୀ

ସହଜେ ଅଟଇ ଯେ ସତୀ।


ସେ ବେଶ୍ୟା ନାମ ଚିନ୍ତାମଣି

ସୁନ୍ଦର ରୂପ ତାର ପୁଣି।


ବେନି ହାତକୁ ଯୋଡ଼ି ଦେଇ

କହିଲା ବଚନ ବୁଝାଇ।


ଏକଇ ଦିନ ପାଇଁ ତୁହି

ଛାଡ଼ ମୋ ପତିଙ୍କୁ ମାଗଇ।


ସ୍ୱର୍ଗବାସୀ ଯେ ପିତାହେଲେ

କରିବେ କ୍ରିୟା କର୍ମ ଭଲେ।


ତା କଥା ଶୁଣି ଚିନ୍ତାମଣି

ବିଲ୍ୱମଙ୍ଗଳେ ବୋଲେ ବାଣୀ।


ଯାଅ ତୁ ପୁତ୍ର ଧର୍ମ କର

ଗୃହରେ ରହିବଏଥର।


ପତ୍ନୀ ତୋ ଅତି ପତିଵ୍ରତା

ମୁଁ ବେଶ୍ୟା ଅତୀବ ପତିତା।


ବିଲ୍ୱ ଚଳିଲେ ନିଜ ଘରେ

ପିତାଙ୍କ ଶୁଦ୍ଧ କର୍ମ କରେ।


ରାତ୍ର ଘଡିକୁ ସାରି କର୍ମ

ଚାଲିଲା ଚିନ୍ତାମଣି ଘର।


ବରଷା ଅତି ଘୋରତର

ବନ୍ୟାରେ ନଦୀ ଭୟଙ୍କର।


ଦୁଇ କୂଳକୁ ଖାଏ ନଈ

ବିଲ୍ୱମଙ୍ଗଳ ଗଲା ଡେଇଁ।


ଶବ ଗୋଟିଏ ଭାସୁଥିଲା,

ତାକୁ ଧରି ଯେ ପାରି ହେଲା।


ପହଞ୍ଚି ଚିନ୍ତାମଣି ଘରେ

କବାଟ ପଡ଼ିଛି ରାତ୍ରରେ।


ଦୀର୍ଘ ଯେ ଗୃହର ପ୍ରାଚୀର

ସର୍ପ ରହିଛି ସେ ସ୍ଥାନର।


ଧରିଲା ସର୍ପକୁ ଯେ ଭିଡି

ପ୍ରାଚୀର ଗଲା ସେହୁ ଚଢି।


ପହଞ୍ଚି ବେଶ୍ୟା ସନ୍ନିକଟ

ଆନନ୍ଦେ ମନ ତା ଉଚ୍ଚାଟ।


ଦେଖି ତାହାକୁ ଚିନ୍ତାମଣି

ବିରକ୍ତ ହୋଇ ବୋଲେ ବାଣୀ।


ଧିକ ତୋହର ଏ ଜୀବନ

ନ ବୁଝୁ ପତ୍ନୀର ଯେ ମନ।


ତା ସହ ମିଶି ଏକ ଦିନ

ମୁଁ ନିନ୍ଦେ ମୋର ଘୃଣ୍ୟ କର୍ମ।


ତୁମେ ନ ବୁଝ ଧର୍ମ ଶେଷ

ହେଉଛ ଇନ୍ଦ୍ରିୟର ବଶ।


ଯେତେ ପ୍ରକାର କଷ୍ଟ କରି

ଆସିଲ ବିପଦ ଆବୋରି।


ସେତିକି ଧ୍ୟାନ ଦେଇଥିଲେ

କୃଷ୍ଣ ପ୍ରାପତ ହେବେ ଭଲେ।


ମୋ ପ୍ରେମ ଖାଲି ତ ଛଳନା

ଏ ସବୁ କେବଳ ବାସନା।


ଶୁଣି ଏମନ୍ତ ବେଶ୍ୟା ଠାରୁ

ଲଜ୍ଜ୍ୟାରେ ଚଳିଲା ସେଠାରୁ।


ବିଲ୍ୱ ଭାଵଇ ମନେ ମନେ

ପାପ ମୁଁ କରିଛି ଜୀବନେ।


ପିତା ମାତାଙ୍କୁ ଦୁଃଖ ଦେଲି

ପତ୍ନୀକୁ ତ୍ୟାଗ ମୁଁ କରିଲି।


ପାପୀ ଯେ ମୁଁ ବିଲ୍ୱମଙ୍ଗଳ

ବଞ୍ଚିବା ନାହିଁ ଅଧିକାର।


ଯଦି ଦେଖିବି କୃଷ୍ଣ ରୂପ

ତେବେ ହୋଇବି ପାପ ମୁକ୍ତ।


ଚାଲିଲା ଅରଣ୍ୟ ମଧ୍ୟରେ

ଭୟ ନ କରି ନିରନ୍ତରେ।


ନାମ ଯେ ସଂକୀର୍ତ୍ତନ କରି

ଦିନ ବଞ୍ଚଇ ପ୍ରଭୂ ସ୍ମରି।


ତା ଭକ୍ତି ଦେଖି ଭଗବାନ

ହୋଇଲେ ଅତି ଯେ ପ୍ରସନ୍ନ।


ଜ୍ଞାନ ତା ହୋଇଲା ପ୍ରକାଶ

କୃଷ୍ଣ ଚରଣେ କଲା ବାସ।


ସେ ବେଶ୍ୟା ନାମ ଚିନ୍ତାମଣି

ତାହାକୁ ଗୁରୁ ଜ୍ଞାନ ମଣି।


ଅନେକ ସ୍ତୁତି ଭକ୍ତି ମୟ

ଲେଖି ଅଛନ୍ତି ସେ ବିନୟ।


ଗୁରୁଙ୍କ ନାମେ ଯେ ସମର୍ପି

ଲେଖିଲେ ସ୍ତୁତି ଚିନ୍ତାମଣି।


ଏମନ୍ତ ସତସଙ୍ଗ ମାହାତ୍ମ୍ୟ

ଭଜିଲେ ନାମ ଗୂଢ ତତ୍ତ୍ଵ।


ସତସଙ୍ଗ କରେ ଯେଉଁ ପ୍ରାଣୀ

ପରମ ରହସ୍ୟ ସେ ଜାଣି।


ନାମ ଜପିଲେ କଳି କାଳେ

ରହିବ ସେ ପାଦକମଳେ।


     ଇତି ବିଲ୍ୱମଙ୍ଗଳ ମାହାତ୍ମ୍ୟ ସମାପ୍ତ।


Rate this content
Log in

Similar oriya poem from Inspirational