STORYMIRROR

Ambuja Mohanty

Inspirational Others

4  

Ambuja Mohanty

Inspirational Others

କିନ୍ନର

କିନ୍ନର

2 mins
224


ଜନ୍ମ ଯେବେ ମୋର ଥିଲା ସେ ଘରେ

ସଭିଏଁ ନୃତ୍ୟରତ ପୁତ୍ର ବୋଲି ବାରେ

ମିଷ୍ଟାନ୍ନ ବାଣ୍ଟିଣ ମୋ ଜେଜେମା କୁହନ୍ତି

କଷ୍ଟ ଲଂଘନ କରିବ ଆମର ଏ ନାତି .....(୧)



ପାଦ ଯେବେ କଲା ଭୂମି ସ୍ପର୍ଶ ମୋର

ମାତାର ପିତାର ଖୁସି ଯେ ଅପରାମ୍ପର

ଉନ୍ମାଦ ରେ ସିଏ କଲ୍ଲୋଳ କରେ

ଜୀବନ ଥିଲା ଉଲ୍ଲାସ ଉଦ୍ଦୀପନାରେ....(୨)



ସମୟ ସ୍ରୋତରେ କଲା ଆକର୍ଷଣ

କନ୍ୟାର ଶୃଙ୍ଗାର ଆଉ ଆଭୂଷଣ

ଲୋଡା ରୁ ଅଲୋଡା ହୋଇବସିଲି

ଗୋଚର ସଭିଙ୍କୁ ମୁଁ କିନ୍ନର ବୋଲି.....(୩)



ଦେବଦାସୀ ନୃତ୍ୟ ଓଠରେ ଲାଲି

ମଥାରେ ସିନ୍ଦୂର ଓ ଦେଲି ଟିକିଲି

ପାଦ ରେ ଘୁଙ୍ଗୁର ଦେଲି ଅଳତା

ଚକିତ ହେଲେ ମୋ ପ୍ରିୟ ଜନତା .....(୪)



ବଡ଼ ଭଗ୍ନୀ ମୋର ମାତା ସମାନ

କାନ୍ଧେ ରଖି ହସ୍ତ ଦେଲେ ସମ୍ମାନ

ତାଙ୍କ ଆଶ୍ୱାସନା ସାହସ ଦିଏ

ଦୁନିଆ ଲୋକଙ୍କ ଛି ଛାକର ସହେ.....(୫)



ପିତାଙ୍କୁ କହିଲେ ସର୍ବେ ଘରୁ କାଢ

କିନ୍ନର ବସ୍ତି ରେ ନେଇ ଛାଡ଼

ସମାଜ ଦୃଷ୍ଟିରେ ପଡ଼ିବା ଆଗରୁ

ନିଜ ନଜରରୁ ତୁମ୍ଭେ କର ଦୂର ......(୬)



ଅଛି ଯେ ତୁମର କନ୍ୟାରତ୍ନ

ବିବାହ ଆଦିରେ କର ପ୍ରଯତ୍ନ

କିନ୍ନର ବ୍ୟବହାର ଯଦି ଦେଖିବେ

ବର ପକ୍ଷ ଯେ ଦୂରେଇ ଯିବେ ......(୭)


କୈଶୋର ସମୟ ମୋର ହେଲା

ଘୁଙ୍ଗୁର ଯେ ଅଜସ୍ର ଆନନ୍ଦ ଦେଲା

ନୃତ୍ୟଶିକ୍ଷା ପାଇଁ ଗୁରୁ ନ ପାଇଲି

ସ୍ଵୟଂ କୁ ଯେ ଗୁରୁ ସଜେଇ ଦେଲି....(୮)



ସମାଜ ଭୟେ ପିତା ଦୂରେଇ ଦେଲେ

ମାତା ମୋର ମୁଖ ନ ଯେ ଦେଖିଲେ

ସହରୁ ଦୂରରେ ନେଇ ମତେ ରଖିଲେ

ପରିବାର ସୁଖରୁ ଯେ ବଞ୍ଚିତ କଲେ....(୯)



ଭଉଣୀ ବିଭାଘରେ ଅଲୋଡା ହୋଇ

ଏକାକୀ ସଙ୍କୋଚେ କ୍ରନ୍ଦନରତ ଥାଇ

ଚତୁର୍ପାର୍ଶ୍ଵେ ସ୍ଥିତ କଂକ୍ରିଟ କାନ୍ଥର ଇଟା

କରୁଥାନ୍ତି ମୋର ଜୀବନକୁ ନେଇ ଥଟ୍ଟା.....(୧୦)



ପ୍ରତିଜ୍ଞା କରିଲି ସେଦିନ ସେ ମୁହୂର୍ତେ ମୁଁହି

ଜୀବନ ବଞ୍ଚିବି ଗର୍ବରେ କିନ୍ନର ହୋଇ

ନୃତ୍ୟ କରିବି ନିରନ୍ତର ଈଶ୍ବରଙ୍କ ପାଇଁ

ମୋ ପରିଶ୍ରମ ଆସିବ ଭଲ ସମୟ ନେଇ ......(୧୧)



ବିତିଯାଇଛି ଅନେକ ବର୍ଷ ଜୀବନେ

ଆଜି ମୋ ପ୍ରତିଷ୍ଠା ଜଗତ୍ର ଜାଣେ

ନୃତ୍ୟ ଗୁରୁ ଭାବେ ବିଶ୍ଵ ପ୍ରସିଦ୍ଧ

ସମାଜ ବୋଲାଏ ମୁଁ ହିଁ ଶ୍ରେଷ୍ଠ......(୧୨)



ଯେଉଁ ଲୋକ ଦିନେ ଥିଲେ ଦୂରେଇ

ପ୍ରେମର ବର୍ଷା କରନ୍ତି ଆଗେଇ

ସମୟ କିନ୍ତୁ ଦେଇଛି ଦେଖେଇ

ଘୃଣା, ନିନ୍ଦା ,ଯା ଥିଲା ମୋ ପାଇଁ ......(୧୩)




ନିଃସଙ୍ଗ ପ୍ରାଣେ ଯେତେ ଦୁଃଖ ପାଇଛି

ତିଳ ତିଳ ସଳୀତା ସମ କଷ୍ଟେ ଜଳିଛି

ସ୍ଵର୍ଣ୍ଣର ବର୍ଣ୍ଣ ଯେ ଚକ୍ଷୁ ରେ ଭାଷେ

ଯେବେ ଯେବେ ଆସେ ଅଗ୍ନି ସ୍ପର୍ଶେ .......(୧୪)



ଦୁନିଆ ସାମ୍ନାରେ ମୁଣ୍ଡ ଟେକିଛି

ଗର୍ବରେ ଆଜି ମୁଁ ବାଟ ଚାଲିଛି

ହୋଇ ନପାରେ କୁଳ ପ୍ରଦୀପ

ଅର୍ଦ୍ଧନାରିଶ୍ଵର ମୁଁ ସତ୍ୟ ଶିବ। ......(୧୫)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational