ଗଛ
ଗଛ
ଜନହିତ ସାଧି ଅରଜୁଛୁ ପୂଣ୍ୟଧନ୍ୟରେ ପାଦପ ତୁହି
ନିଃସ୍ୱାର୍ଥ ସାଧନାରେ ମଗ୍ନ ସାଧକ
ତୋ ପରି ଆଉ କେ ନାହିଁ।
ନିର୍ବିକାର ହୋଇ ମାଟି ମାଆ ବକ୍ଷେ
ହୋଇଛୁ ଦଣ୍ଡାୟମାନ
କେତେ ଖରା, ବର୍ଷା,ଝଡ,ତୋଫାନକୁ
ସହି ଧରିଛୁ ଜୀବନ।
ସୂର୍ଯ୍ୟାଲୋକ, ଜଳ, ଖଣିଜ ଲବଣେ
ଗଢା ହୋଇଛି ତୋ କାୟା
ପ୍ରସାରିତ କରି ଶାଖା ପ୍ରଶାଖା ତୁ
ପଥିକକୁ ଦେଉ ଛାୟା।
ରଙ୍ଗ ବେରଙ୍ଗର କୁସୁମ ସମ୍ଭାର
ସାଥେ କେତେ ମିଠା ଫଳ
ଭେଟି ଦେଇ ଏଇ ପ୍ରାଣୀ ଜଗତକୁ
ଯୋଗାଇ ଦେଉଛୁ ବଳ।
ବୃକ୍ଷ,ଗୁଳ୍ମ,ଲତା,ଆଦି କେତେ ରୂପେ
ହୋଇଛୁ ତୁ ପରିଚିତ
କେତେ ପଶୁପକ୍ଷୀଙ୍କୁ ଆସରା ଦେଇ
କରୁ ମନ ଆନନ୍ଦିତ।
କରି ପ୍ରଦାନ ପ୍ରାଣ ଦାୟିନୀ ବାୟୁ
କରୁଛୁ ଜୀବନଦାନ
ତୋ'ରି ପାଇଁ ବାୟୁ ମଣ୍ଡଳରେ ବହେ
ଶାନ୍ତ ଶୀତଳ ପବନ।
ଭାରି ଉପକାରୀ ତୋ'ର ଅବୟବ
ପତ୍ର ହେଉ ଅବା ମୂଳ
ସବୁଥିରେ ପୂର୍ଣ୍ଣ ଔଷଧୀୟ ଗୁଣ
ବିତରେ ସଭିଙ୍କୁ ବଳ।
ଘରୋଇ ଉପକରଣର ପ୍ରସ୍ତୁତି
ଅବା ଜାଳେଣି ସଂଗ୍ରହ
ଜୀବନ ଜୀବିକା ଯୋଗାଇ ଦେବାରେ
ଦେଖାଉ ସଦା ଆଗ୍ରହ।
ପରିବେଶର ସୌନ୍ଦର୍ଯ୍ୟ ରକ୍ଷା ଅବା
ପ୍ରଦୂଷଣ ଦୂରୀକରଣେ
ଅତୁଳନୀୟ ତୋ' ଅବଦାନ ତୁଲ୍ୟ
ନ ହୋଇବେ କେହି ଜଣେ।
ମିଳୁ ନାହିଁ ଭାଷା କିପରି ବର୍ଣ୍ଣିବି
ଅବ୍ୟକ୍ତ ଯେ ସେଇ କଥା
ଯେତେ କହିଲେ ବି ରହିଯାଏ ବାକି
ଅମୂଲ ତୋ' ତ୍ୟାଗ ଗାଥା।