ମାଟିର ମୋହ..
ମାଟିର ମୋହ..
ତୁମେ ଆସିବ କି ଦେବୀ..
ଆମର ସେ ମାଟି ଘର ଖଞ୍ଜା,ଠାକୁର ଘରେ,
ବସୁ ଥିବ ମାଣ, ମାର୍ଗଶିର ମାସ ଗୁରୁବାର ଦିନ,
ବୋଲା ହେବ ଲକ୍ଷ୍ମୀ ପୁରାଣ, ସଂଜ ହେଲେ,
ନିଇତି ବାଜିବ ଶଙ୍ଖ, ହୁଳହୁଳି,
ତୁମ ପ୍ରତି ଆଳତୀରେ,
ମହ ମହ ବାସୁଥିବ ଅଗରୁ ଚନ୍ଦନ,
ଧୂପ, ଦୀପ,ମଣ୍ଡା,ଆରିସା କାକରା,
ପୂଜା ବେଦୀ, ଭୋଗ ପସରାରେ,
ଆମ ଅଗଣାରେ, ଆମ ଚଉରା ମୂଳରେ,
ଆମ ମାଟି କାନ୍ଥ ଝଲସି ଉଠିବ ପୁଣି,
ନାନା ଝୋଟି ମୁରୁଜରେ,
ଅରୁଆ ଚାଉଳର ଚୁନା ଓ ଢାଉର ରଂଗରେ..!
ଫେରି ଆସିବ କି ଦେବୀ ତୁମେ..
ମାନଵୀ ରୂପରେ, ଏଇ ନିବୃତ ପ୍ରାଙ୍ଗଣେ,
ତୁମ ପାଇଁ ଖଞ୍ଜା ଯେତେ ଆଲଟ ଚାମର,
କଂକ୍ରିଟ ଜଙ୍ଗଲର ଛାତି ଚିରି ସାଜୁଥିବା
ଶଙ୍ଖ ମଲମଲ ପଥରର ମସୃଣ ତୋରଣ,
ବିରାଜିଲେ ତୁମେ, ବାତାୟନ ପଥୁ,
ଶୁଭିଯିବ ଘଣ୍ଟ ଘଣ୍ଟା ଧ୍ୱନୀ,
କାହାଳୀର ବାଦ୍ୟ,
ଅବିଳମ୍ବେ, ସୁନିୟନ୍ତ୍ରିତେ,
ତୁମ ଆଗମନେ ଆଲୋକିତ ହେବ
ନାନା ରଂଗର ଆଲୋକ ରୋଷଣୀ,
ତୁମ ପାଇଁ ସଜା ଯେତେ କ୍ଷୀରି ପୁରି
ସୁସ୍ୱାଦୁ ବ୍ୟଞ୍ଜନ, ତୂଳୀ ତଳ୍ପ ଶେଯ,
ଏ ଅମରବତୀରେ,
ତୁମ ପାଇଁ ସଜା ଯେତେ ସୁଗନ୍ଧିତ ପୁଷ୍ପ,
ମଲ୍ଲୀ, ଟଗର, ସୁବାସିତ ଫୁଲ,
ତୁମ ପାଇଁ କିଣା ତୁମ ପ୍ରିୟ ପଦ୍ମ,
ନାନାବିଧ ପୂଜା ଵିଧି ସାମଗ୍ରୀ ସମ୍ଭାର,
ତୁମ ପାଦର ନିକ୍ୱଣ ପ୍ରତିଧ୍ୱନିତ ହେବ
ମସୃଣ ଗାଲିଚାର ଏ ଅଳକା ପୁର..!
ମନେ ପଡେ ଆଜି ସେ ଦିନର କଥା,
ଯେଉଁ ଦିନ ଯାଇ ଥିଲ ତୁମେ, ତୁମ..
ବୈକୁଣ୍ଠ ଧାମ, ସେ ବଡ଼ ଦେଉଳରେ..,
ବାଜୁଥିଲା ଶଙ୍ଖ, ହୁଳହୁଳି ଶବ୍ଦ,
ସାଜୁ ଥିଲା ଅକ୍ଷି ମୁଠି, ପଡ଼ୁ ଥିଲା ଝୋଟି,
ଆମ କାନ୍ଥ,ଆମ ଘର, ଦାଣ୍ଡ ଦୁଆରରେ,
ସଜ ଥିଲା ହଳ ଓ ଲଙ୍ଗଳ,
ସଜ ଥିଲା ଗଉଣି ଓ ମାଣ,
ସେଇ ଅକ୍ଷୟ ତୃତୀୟାର ବାହୁଡା଼ ତିଥିରେ..,
ପାପୁଲିରେ ତୋଳୁ ଥିଲି ଯେବେ ତୁମ ଅସ୍ତିତ୍ୱକୁ,
ନୂଆ ଟୋକେଇରେ ଥିଲ ତୁମ ପାଞ୍ଚଲ ଭିତରେ,
ସାଜୁ ଥିଲ ତୁମେ ସଦ୍ୟ କନିଆଁର ବେଶ,
ମନେ ପଡେ ଝିଅ ବିଦା ବେଳର ସେ କାରୁଣ୍ୟ କଥା,
ମୋ ବୋଉ ଯେବେ ସାଜୁ ଥିଲା, ଶ୍ରୀୟା ଚଣ୍ଡାଳୁଣୀ ବେଶ,
ଚାହୁଁ ଥିଲା ଅପଲକେ ତୁମ ଫେରୁ ଥିବା ବାଟ,
ମାଆ ଘରୁ ଫେରୁ ଥିଲ ତୁମେ,
ତୁମ ନିତ୍ୟ ବୃନ୍ଦାବନେ.. !
ମନେ ପଡ଼ ତୁମେ ଏବେ,
ହେ ଦେବୀ ବା ମାନଵୀ,
ତୁମ ପାଇଁ ଏ ଘର ହେଉ ସେ ସରଗ ପୁରୀ,
ତୁମ ସ୍ମୃତି ତୁମ କୀର୍ତି ସଦା ଏ ସଂସାରେ,
ଓଡ଼ିଆର ପରିଚୟ ରହୁ ସାରା ଜଗତରେ,
ତୁମ ଯଶ ତୁମ କୀର୍ତ୍ତି ଏ ଖଣ୍ଡ ମଣ୍ଡଳରେ,
ଦେବୀ ହୋଇ ପଦାର୍ପିତ ତୁମେ ମାନବ ରୂପରେ,
ଧନ୍ୟ ତୁମେ ମହାଲକ୍ଷ୍ମୀ, ଧନ୍ୟ ତୁମ ଲୀଳା,
ତୁମର ସଂରଚନାର ଏ ମାନବୀୟ ଲୀଳା,
ଧନ୍ୟ ଧନ୍ୟ ଏ ଜାତି ଧନ୍ୟ ଏ ସଂସ୍କୃତି,
ତୁମ ପାଇଁ ଗର୍ବିତ ହୁଏ ଏଇ ମାତୃ ଜାତି,
ମାଟିର ମମତାରେ ତୁମେ ଯେ ମାନଵୀ,
ଏଇ ମାଟି, ଏଇ ଘର ହୁଏ ମହିୟସୀ..!