ପୁଅ ପାଇଁ ହିତବାଣୀ
ପୁଅ ପାଇଁ ହିତବାଣୀ
ଶୂନ୍ୟକୁ ବାନ୍ଧିଛି ନିଶୁଣୀ ପୁଅରେ
ମୁଁ ଆଖିରେ ଭରିଛି ଆଖିଏ ସ୍ୱପ୍ନ ,
ତୋଳି ଆଣି ଦେବି ଜହ୍ନ କୁ ତୋ’ ପାଇଁ
ତୁ ପରା ମୋ’ର ଜୀବନ ଧନ ।
ବଡ ହୋଇ ମୋ’ର ନାଆଁ ତୁ ରଖିବୁ
ଭଲ ପାଠ ପଢି ସାହେବ ତୁ ହେବୁ
ଲକ୍ଷ ଲକ୍ଷ ଟଙ୍କା ଦରମା ପାଇବୁ
କୋଠାବାଡି ସାଥେ ଗାଡି ବି ଚଢିବୁ ।
ମୋ’ ପରି ଛୋଟ କିରାଣୀ ନ ହୋଇ
ଏ ମୁଣ୍ଡ ତକିଆ ଆନ ମୁଣ୍ଡେ ଦେଇ
ଚିନି ବସ୍ତା ବୁହା ବଳଦଟେ ହୋଇ
ଜୀବନଟା ସାରା ନ ଥକିବୁ ଧାଇଁ
ଚିନିର ସୁଆଦ ଚାଖିବାର ପାଇଁ ।
ପୁଅ ପାଠ ପଢା, ଝିଅ ବାହାଘର
ପାଇଁ କି ଆଉ ତୁ ନ ହେବୁ ଆତୁର
କେଉଁଠୁ ଆସିବ ? ହେବୁ ନାହିଁ ଢାଳି
କାହା ପାଖେ ହେବୁ ନାହିଁ ନିଉଛାଳି ।
ଧନ ଅରଜିବୁ ଯେବେ ଧର୍ମ ପଥେ
କଣ୍ଟାଟିଏ କେବେ ଫୁଟିବନି ପାଦେ
ପର ଉପକାରେ ଦେଇଥିବୁ ମତି
ଜଗତେ ଗାଇବା ତୋ’ର ଯଶ କୀର୍ତ୍ତି ।
ହେଲେ ଧନ ମୋର ! ଏତିକି କରିବୁ
ମୁଁ ମଲା ଯାଏଁ ମତେ ପାଖରେ ରଖିବୁ
ତୋ’ ମାଆ ମନେ କେବେ ଦେବୁନାହିଁ ଦୁଃଖ
ଆମ ଆଶୀର୍ବାଦେ ହେବ ତୋ ଜୀବନ ସୁଖ ।
