ପଥର
ପଥର
ପଥର ମୁଁ ପଥର
ପଥ ପ୍ରାନ୍ତର ପଥର
ଯଦି କେହି କରେ ଆଦର
ବୋଳିଦେଲେ ଟିକେ ସିନ୍ଦୂର
ମାରିଲେ ଗୋଟିଏ ଜୁହାର
ମୁଁ ପାଲୋଟିଯାଏ
ସାକ୍ଷାତ ଇଶ୍ବର !
ପଥର ମୁଁ ପଥର
ପଥ ପ୍ରାନ୍ତର ପଥର
ବିରସ - ବିବର୍ଣ୍ଣ - ବନ୍ଧୁର
ମଗ୍ନ ଶିଳ୍ପୀର ନିହାଣ ସ୍ପର୍ଶରେ
ମୁଁ ପାଲୋଟିଯାଏ ଅପରୂପ
ସୌନ୍ଦର୍ଯ୍ୟର ଗନ୍ତାଘର !
ପଥର ମୁଁ ପଥର
ପଥ ପ୍ରାନ୍ତର ପଥର
ଯଦି କେହି ଲୋଡ଼େ ମୋ
ବିବଶ ବିଶାଳ ଶରୀର
ତୋଳିଦିଏ ତା ପାଇଁ
ସୁବର୍ଣ୍ଣ ନଅର !
ପଥର ମୁଁ ପଥର
ପଥ ପ୍ରାନ୍ତର ପଥର
ଯଦି କେହି ଲୋଡ଼େ
ମୋ ଠାରେ ଆଶ୍ରୟ
ଆଶ୍ରା ଦେଇ ମୁଁ
ଥକ୍କା କରେ ଦୂର
ଲେପିଦିଏ ତା ଦେହରେ
ପ୍ରେମର ଅବିର !
ପଥର ମୁଁ ପଥର
ପଥ ପ୍ରାନ୍ତର ପଥର
ନୀରବ - ନିଶ୍ଚଳ - ନିଥର
ଯଦି କେହି କରେ
ମୋତେ ପାଦରେ ପ୍ରହାର
ତା ଜୀବନ ପାଲୋଟେ
ଯନ୍ତ୍ରଣାର ଯଉଘର !