STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ପଥହୁଡ଼ା

ପଥହୁଡ଼ା

1 min
166

ନୀଡ଼ ବାହୁଡ଼ା ପକ୍ଷୀ ଆଉ                       

ମଣିଷ ଭିତରେ କଣ ଯେ' ଫରକ

ଗୋଧୂଳିରେ ଦୁହେଁ ଫେରନ୍ତି

ନିଜ ନିଜର ନୀଡ଼କୁ ତୁଟାଇ

ଆପଣାର ଦୈନନ୍ଦିନ ଜଞ୍ଜାଳ

ଦିନ ତମାମ ଯେଉଁଠି ଯେମିତି

କଟାଇଲେ ସୁଖରେ କି ଦୁଃଖରେ

ସଞ୍ଜ ବୁଡ଼ିଲେ ଘରକୁ ଫେରିବା ଟା

ବିଧିବଦ୍ଧ ଗତାନୁଗତିକ ପଦ୍ଧତି

ବେଳେ ବେଳେ ଦୁହେଁ ଯାଆନ୍ତି

ପଥହୁଡ଼ି ସନ୍ଧ୍ୟାର ସ୍ତିମିତାଲୋକରେ

ଅବା ଜୀବନର ପିଚ୍ଛିଳ ପଙ୍କିଳ

ରାଜପଥରେ ଦୁର୍ଘଟଣାର ଶିକାର ହୋଇ

ପକ୍ଷୀଟିଏ ହୁଏତଃ ପୁ୍ନଶ୍ଚ ଫେରିପାରେ

ତା'ର ନୀଡ଼କୁ ଆପଣା ସଙ୍ଗକୁ

ସକାଳର ସୁନେଲି କିରଣରେ

ହସଖୁସିର କିଚିରି ମିଚିରି ଶବ୍ଦରେ

ପୁଣି ଭରିଯାଏ ଛୋଟିଆ ସଂସାର

କିଛି ବି ଘଟିନି ଜୀବନରେ ତା'ର

ପୁନର୍ବାର ଉଡିବାକୁ ଲାଗେ ଦୂର ଗଗନରେ

ମାତ୍ର ପଥହୁଡ଼ା ମଣିଷଟିଏ

ନା ଫେରି ପାରେ ଆଲୁଅରେ

ଅବା ଅନ୍ଧାରରେ ନିଜର ନୀଡ଼କୁ

ଆପଣାର ପ୍ରିୟଜନଙ୍କ ପାଶକୁ

ରୁଢ଼ିବାଦୀ ସମାଜର ନୀତି ନିୟମ

ଅଲିଖିତ ଯେତେ ସବୁ ଆଇନ୍ କାନୁନ୍

ସଭିଏଁ ବାଧକ ସାଜନ୍ତି ତା' ଲାଗି

ଥରେ ପଥହୁଡ଼ିଲେ ସିଏ

ହୋଇଯାଏ ଚିରକାଳ ଅଲୋଡ଼ା

ଆପଣା ପରିଜନ ପାଶରେ

ଏଇ ସମାଜର ଆଖିରେ

ପାଲଟିଯାଏ ଅବାଞ୍ଛିତ ବ୍ଯକ୍ତିତ୍ବ

ତା'ର ଛାଇ ବି ପଡ଼ିଲେ

ସବୁକିଛି ହୋଇଯାଏ ଅପବିତ୍ର ଅଶୁଦ୍ଧ    

ପଥହୁଡ଼ାର ବିଶେଷଣକୁ ପିଠିରେ

ବହି ବହି ଅଜ୍ଞାତବାସରେ କଟିଯାଏ

ଜୀବନର ମହାର୍ଘ ଅମୂଲ୍ୟ ମୂହୂର୍ତ୍ତ ସବୁ

ଅଶ୍ବଥାମା ପରି ରହିଥାଏ ଯୁଗାନ୍ତ ଯୁଗାନ୍ତର

ଅନ୍ତହୀନ ପ୍ରତୀକ୍ଷାରେ ।


Rate this content
Log in

Similar oriya poem from Abstract