କଳିଯୁଗ ଇତି କଥା
କଳିଯୁଗ ଇତି କଥା


ମହାଭାରତରେ କୁରୁକ୍ଷେତ୍ର ରଣେ
ଶ୍ରୀକୃଷ୍ଣଙ୍କ ଜ୍ଞାନ ବାଣୀ ।
ଅଜ୍ଞାନ ଅନ୍ଧାର ଦୂର କରିଥିଲା
ଜ୍ଞାନର ବୀଜକୁ ବୁଣି ।୧।
ହିନ୍ଦୁ ଧର୍ମ ଗ୍ରନ୍ଥ ଗୀତାର ସାରାଂଶ
କୃଷ୍ଣଙ୍କ ମୁଖରୁ ଶୁଣି ।
ଧର୍ମ ଯୁଦ୍ଧ ପାଇଁ ଗାଣ୍ଡିବ ଧରିଲେ
କୁନ୍ତୀଙ୍କ ପୁତ୍ର ଫାଲ୍ଗୁନି ।୨।
କୌରବଙ୍କ ପାପ କରିବାକୁ ନାଶ
କୃଷ୍ଣଙ୍କର ଗୀତା ଜ୍ଞାନ ।
କୁରୁକ୍ଷେତ୍ର ରଣେ ସହାୟକ ହୋଇ
ରକ୍ଷା ହେଲା ଧର୍ମ ମାନ ।୩।
କଳି ଭବିଷ୍ୟତ କୃଷ୍ଣଙ୍କର ବାଣୀ
ଗୀତା ଭାଗବତ କଥା ।
ଦ୍ୱାପରର ବାଣୀ କଳିରେ କାହାଣୀ
ଭାବୁଥିଲେ ସର୍ବେ ମିଥ୍ୟା ।୪।
କାହାଣୀର ବାଣୀ ସତ୍ୟ ହୁଏ ଜାଣି
ଘାରିଲାଣି ଏବେ ଚିନ୍ତା ।
ପର୍ଯ୍ୟାୟ କ୍ରମରେ ଘଟଣା ଚକ୍ରରେ
ବୃଦ୍ଧି ହୁଏ ମୁଣ୍ଡ ବ୍ୟଥା ।୫।
ନାଟକ ଢଙ୍ଗରେ ଧରଣୀ ବକ୍ଷରେ
ବାସ୍ତବ ରୂପରେ ଆସି ।
ଜନ ଜଗତରେ ତାଣ୍ଡବ କଲାଣି
ଚକିତ ଜନତା ଦେଖି ।୬।
ପଚାଶ ଶତକ ବରଷ ପୂର୍ବର
ଭାଗବତ ଗୀତା ବାଣୀ ।
ବର୍ଣ୍ଣି ଥିଲେ କୃଷ୍ଣ କଳିର କାହାଣୀ
ଜାଣିଛନ୍ତି ଜ୍ଞାନୀ ଗୁଣୀ ।୭।
କଳିଯୁଗେ ଧର୍ମ କର୍ମ ନଷ୍ଟ ହୋଇ
ଅସତ୍ୟ ରାଜ କରିବ ।
ବଞ୍ଚିବାର କାଳ ଶାରୀରିକ ବଳ
ସ୍ମୃତି ଶକ୍ତି ହ୍ରାସ ହେବ ।୮।
ମାନବର ମୂଲ୍ୟ ସମ୍ପତ୍ତିର ତୁଲ୍ୟ
ତରାଜୁରେ ହେବ ମାପ ।
କଳ ବଳ ନେଇ ଆଇନି କାନୁନ
ଶକ୍ତି ସପକ୍ଷରେ ଯିବ ।୯।
ବାହ୍ୟ ଆକର୍ଷଣେ ହୋଇବ ମିଳନ
ପୁରୁଷ ନାରୀଙ୍କ ମତି ।
ସମ୍ପତି ଲୋଭରେ ଆଶକ୍ତି ମୋହରେ
ବଢ଼ି ପରକିଆ ପ୍ରୀତି ।୧୦।
ନାରୀ ପୁରୁଷଙ୍କ ମୂଲ୍ୟାଙ୍କନ ହେବ
ଲିଙ୍ଗ ଅଧାରକୁ ନେଇ ।
ସମ୍ଭୋଗ ଲୋଭରେ କଳି ଉପୁଜିବ
ବିଚ୍ଛେଦ ଘଟିବ ତହିଁ ।୧୧।
ସଫଳତା ପାଇଁ ଚୋରି ବେଇମାନି
ବେପାରରେ ଧୋକାବାଜ ।
ସମ୍ପର୍କର ବନ୍ଧ ସହଜେ ଭାଙ୍ଗିବ
ରଣେ ହୋଇ ସଜବାଜ ।୧୨।
ପୂଜା ପାଠ ମନ୍ତ୍ର ଶାସ୍ତ୍ର ଜ୍ଞାନହୀନ
ବିଜ୍ଞାନୀ ବୋଲି କହିବେ ।
ପବିତ୍ର ସୁତାକୁ କାନ୍ଧରେ ଗୁଡେଇ
ବ୍ରହ୍ମଚାରୀ ବୋଲାଇବେ ।୧୩।
ଶବ୍ଦ ବାଣ ମାରି ବାକ୍ୟାଳପ କରି
ବିଦ୍ୱାନରେ ହେବେ ଗଣା ।
ବିଜ୍ଞାନୀ ପଣ୍ଡିତେ ହୋଇବେ ଦଣ୍ଡିତ
ଲୋକେ ହେବେ ବାଟବଣା ।୧୪।
ଗାଆଁ ଗାଡ଼ିଆକୁ ପବିତ୍ର କହିବେ
ଗଙ୍ଗାର ମାନ୍ୟତା ଦେବେ ।
ପବିତ୍ର ଗଙ୍ଗାରେ ମଇଳା ଭରିବ
ଦୂଷିତ ବୋଲି କହିବେ ।୧୫।
ପେଟ ପାଇଁ ନାଟ ଏକମାତ୍ର ଲକ୍ଷ୍ୟ
ପରିବାର ପୋଷଣରେ ।
ରୋଜଗାର କ୍ଷମ ପୁରୁଷ ନାରୀଙ୍କୁ
ପ୍ରାଧାନ୍ୟ ଦେବ ସଂସାର ।୧୬।
ଗରୀବଙ୍କୁ ସର୍ବେ ଘୃଣାରେ ଦେଖିବେ
ଅପବିତ୍ର ବୋଲି କହି ।
ଭିକ୍ଷା ଦେବେନାହିଁ ଥାଳ ଭାଙ୍ଗି ଦେବେ
ସାହା ହେବେନାହିଁ କେହି ।୧୭।
ଭ୍ରଷ୍ଟାଚାରୀ ହୋଇ ଚୋରି ନାରୀ କରି
ଶକ୍ତିଶାଳୀ ବୋଲାଇବେ ।
ଗୁଣ୍ଡା ବଦମାସ ସମ୍ପତି ବଳରେ
ରାଜନେତା ହେଉଥିବେ ।୧୮।
ଶାସନ ଗାଦିକୁ ଅକ୍ତିଆର କରି
ଶୋଷଣ ଚାରା ରୋଇବେ ।
ଦୁର୍ନୀତି ଜଙ୍ଗଲ ମାଡିବ ପ୍ରବଳ
ଫଳ ଭାଗ ବାଣ୍ଟି ନେବେ ।୧୯।
କର ଦେଇ ଜନେ ହାରାସ ହୋଇବେ
ଗରିବୀ ବୃଦ୍ଧି ପାଇବ ।
ଖାଦ୍ୟ ଅଭାବରେ ଅଖାଦ୍ୟ ଭକ୍ଷଣେ
ଶରୀର ରୋଗୀଣା ହେବ ।୨୦।
ଜ୍ଞାନ ବିଜ୍ଞାନର ଅପପ୍ରୟୋଗରେ
ପରିବେଶ ହେବ ହାନି ।
ପ୍ରକୃତି ବିପକ୍ଷେ ସଂଗ୍ରାମ କରିବେ
ନିଜକୁ ବୋଲାଇ ଜ୍ଞାନୀ ।୨୧।
ପରିବେଶ ନଷ୍ଟ ଦେବ ବହୁ କଷ୍ଟ
ପ୍ରଦୂଷଣ ବୃଦ୍ଧି ହୋଇ ।
ପ୍ରକୃତି କୋପରେ ଦୈବୀ ଦୁର୍ବିପାକ
ଭୟଙ୍କର ରୂପ ନେଇ ।୨୨।
କୃଷି ବିଗିଡିବ ମରୁଡ଼ିର ହୋଇବ
ଖାଦ୍ୟର ଅଭାବ ହେବ ।
ଜଳ ବିନା ଲୋକେ ବିକଳ ହୋଇବେ
ଶୋଷରେ ତଣ୍ଟି ଶୁଖିବ ।୨୩।
ରୋଗ ଶୋକ ଦୁଖଃ ବଢିବ କ୍ରମଶଃ
ଔଷଧ ମିଳିବ ନାହିଁ ।
ବଞ୍ଚିବା ବୟସ ହ୍ରାସ ହୋଇଯିବ
ବିଲୟ ସୂଚନା ଏହି ।୨୪।
ନିଶା ବେପାରରେ ଅର୍ଥ ରୋଜଗାର
ରାଜକୋଷ ପାଇଁ ଲାଭ ।
ପେଟ ବିକଳରେ କଳି ଝଗଡାରେ
ହତ୍ୟା ରାହଜନୀ ହେବ ।୨୫।
ସମାଜେ ବିଧର୍ମୀ ଭଣ୍ଡ ବାବା ହୋଇ
ବସିବେ ବଡ଼ ଆସନେ ।
ଭଣ୍ଡ ବାବାଙ୍କର ଭାଣ୍ଡ ଭାଷଣରେ
ଆକର୍ଷିତ ହେବେ ଜନେ ।୨୬।
ସେବା ଦାନ ଦେଇ ବୁଢା ହୋଇଗଲେ
ସେବକ ପଡିବ ବଳୀ ।
ଚାକିରିରୁ ତାକୁ ବିଦା କରି ଦେବେ
ଦେଇ ଖାଲି ମାଡ଼ ଗାଳି ।୨୭।
ଦୁଧିଆଳି ଗାଈ କ୍ଷୀର ଶୁଖି ଗଲେ
କଂସେଇକୁ ଦେବେ ବିକି ।
କଂସେଇ ଚୋଟରେ ଗୋମାତା ମରିବ
କଳିଯୁଗ ରୀତିନୀତି ।୨୮।
ଜନସଂଖ୍ୟା ବୃଦ୍ଧି ବେକାରୀ ସମସ୍ୟା
ଜଟିଳ ହୋଇବ ଭାରି ।
ଚାକିରୀ ନ ପାଇ ଜୀବିକା ହରେଇ
ବୃଦ୍ଧି ହେବ ଚୋରି ନାରୀ ।୨୯।
ଭ୍ରୁଣ ହତ୍ୟା ପାପ ହୋଇବ ଅସଂଖ୍ୟ
କୁମାରୀ ହୋଇବେ ମାଆ ।
ବଦନାମ ହୋଇ ଗଣିକା ସାଜିବେ
ଖୋଜିବେ ବଂଚିବା ରାହା ।୩୦।
ଚୋର ହେବ ରାଜା ସାଧୁ ହେବେ ପ୍ରଜା
ସମ୍ପତି କରିବେ ଚୋରି ।
ବିଳାସ ବ୍ୟସନେ ଭୋଗ ଲାଳସାରେ
ଅୟସ କରିବେ ଭାରି ।୩୧।
ଜନତା ସୁରକ୍ଷା ହୋଇ ଅବ୍ୟବସ୍ଥା
ଅସଫଳ ହେବେ ରାଜା ।
ରୋଗ ଭୋକ ଭୟେ ମରିବେ ଜନତା
କବର ହୋଇବ ଖୋଜା ।୩୨।
ଜନମ ହୋଇଲେ ମୃତ୍ୟୁ ଭୟ ଅଛି
ଧୃବ ସତ୍ୟ ଅଟେ ଯାହା ।
ସେହି ସତ୍ୟ ଦିନେ ବିଶ୍ୱକୁ ଘାରିବ
ଗୀତାରେ ଲିଖିତ ତାହା ।୩୩।
ତିନି ପର୍ଯ୍ୟାୟରେ ପ୍ରଳୟ ଆସିବ
ସମୟ କ୍ରମାନ୍ଵୟରେ ।
ନୈତିକତା ନାଶ ପହିଲି ସୋପାନ
ଅତିକ୍ରାନ୍ତ ପ୍ରଥମରେ ।୩୪।
ଦ୍ବିତୀୟେ ଚାଲିଛି ପ୍ରକୃତି ତାଣ୍ଡବ
ତୃତୀୟରେ ଅତ୍ୟାନ୍ତିକ ।
ପ୍ରକୃତି ତାଣ୍ଡବ ସରି ଆସିଲାଣି
ଅତ୍ୟାନ୍ତିକ ଭୟାନକ ।୩୫।
ସୂର୍ଯ୍ୟ ତେଜ ରଶ୍ମି ସାଗର ଶୋଷିବ
ମରୁଡି ଆସିବ ମାଡି ।
ସମୁଦ୍ର ଗର୍ଭରେ ବିସ୍ଫୋରଣ ହେବ
ବିଶ୍ୱ ଯିବ ବଳି ପଡି ।୩୬।
ପାତାଳ ଗହ୍ବରେ ଜଳିଯିବ ସବୁ
ଜୀବଜଗତର ନାଶ ।
ବିଶ୍ୱର ଗଠନ ପରିବର୍ତ୍ତନରେ
ହୋଇଯିବ ସବୁ ଧ୍ୱଂସ ।୩୭।
ନୂତନ ଯୁଗର ଆରମ୍ଭ ହୋଇବ
ନାମ ତାର ସତ୍ୟଯୁଗ ।
ସୃଷ୍ଟିର ସଂଚାର ପୁନର୍ବାର ହେବ
ବୃକ୍ଷଲତା ସଙ୍ଗେ ଜୀଵ ।୩୮।
ଆରମ୍ଭ ଯେଉଁଠି ଶେଷ ବି ସେଇଠି
ସୃଷ୍ଟିର ନିୟମ ଏହି ।
ସୃଷ୍ଟି କାର୍ତ୍ତାଙ୍କର ସୃଷ୍ଟି ନିୟମକୁ
ଭାଙ୍ଗି ପାରିବେନି କେହି ।୩୯।
ସ୍ୱଳ୍ପ ଜ୍ଞାନ ମୋର କରିବେ ବିଚାର
ଧରିବେନି କେହି ଦୋଷ ।
ଭୁଲ ହୋଇଥିଲେ କ୍ଷମା କରିଦେବେ
କରିବେନି ଜମା ରୋଷ ।୪୦।