ପଶ୍ଚାତ୍ତାପର ଅଗ୍ନି
ପଶ୍ଚାତ୍ତାପର ଅଗ୍ନି
ଜୋର ଯାହାର ମୂଲକ ତାହାର ପଶୁ ସମାଜ ବେଭାର
ଭୁଲ୍ କରିବା ସହଜାତ ଗୁଣେ ଗଣା ମଣିଷ ଜାତିର ।
ଅନ୍ୟାୟ ଅନୀତି ସତ୍ୟ ଯୁଗରୁ ଚାଲିଆସେ ଯୁଗ ଯୁଗ
ଅଧର୍ମ ଉପରେ ଧର୍ମର ବିଜୟ ପୁରାଣର ଏ ଆବେଗ ।
ଜାଣତରେ ଯିଏ ଭୁଲ କରିବ ଅନୁତାପ କିବା ହୁଏ
ଚେଇଁ ଶୋଇଥିବ ଯେ ନର ତାହାକୁ ଅବା ଉଠାଇବ କିଏ !
ସମୟ ଗମୟେ ଅନୁତାପ ଆସେ ଚରିତ୍ର ପରିବର୍ତ୍ତିତ
ପଶ୍ଚାତ୍ତାପର କରତ କଳରେ ହୃଦୟ ହୁଏ କର୍ତ୍ତିତ ।
ଅଜାଣତେ କେବେ ଭୁଲ୍ ହୋଇଗଲେ ଅନୁତାପ ଭାରି ହୁଏ
ଅନ୍ୟ ମନରେ ଆଘାତ ଦେଇ କି ହୃଦୟଟା ଦହି ହୁଏ ।
ଅନୁତାପ କିବା ପଶ୍ଚାତ୍ତାପ କଲେ ଫେରେ ନାହିଁ ପଛ କଥା
ପଶ୍ଚାତ୍ତାପର ଦାବାନଳେ ଜଳି ହାଲୁକା ହୁଅଇ ବ୍ୟଥା ।
କାମରତ ଋଷି ଦମ୍ପତିଙ୍କୁ ପଣ୍ଡୁ ବଦ୍ଧ କଲେ ମୃଗ ଚିନ୍ତି
ଅନୁତାପ ଲାଗି ସମର୍ପଣ କଲେ ଧୃତରାଷ୍ଟ୍ରଙ୍କୁ ରାଜୁତି ।
କୁରୁବଂଶ ଆପଣାର କର୍ମ ଫଳେ ସମୂଳେ ହୋଇଲେ ନାଶ
ଧର୍ମରାଜ ଅନୁତାପ ଅନଳରେ ସହିଲେ ଅନେକ ତ୍ରାସ।
ପୁଣ୍ୟାତ୍ମା ନିଜର କୃତକର୍ମ ପାଇଁ ଆଦରନ୍ତି ଅନୁତାପ
ପାପୀ ପାପଘଡା ପୁରଣ ହେଲେ ବି ଚିନ୍ତେ ନାହିଁ ପ୍ରାୟଶ୍ଚିତ ।
