ପ୍ରତ୍ୟାଶା
ପ୍ରତ୍ୟାଶା
କର୍ମ କର ବନ୍ଧୁ ନିଃସ୍ୱାର୍ଥପର ହୋଇ
ଆଶା ରଖ ନାହିଁ କ୍ଷଣେ
ବୃକ୍ଷ ସିନା ଦିଏ ଫୁଲ ଫଳ ଛାୟା
ପ୍ରତ୍ୟାଶା କି ରଖେ ମନେ।
ସୂରୁଜ କରନ୍ତି ତମସାର ନାଶ
ପୂରୁବ ଦିଗରୁ ଉଇଁ
ଚନ୍ଦ୍ରମା ଢାଳନ୍ତି ଶୀତଳ ସ୍ନିଗ୍ଧ ଜୋସ୍ନା
ଜଗତେ ସଭିଙ୍କ ପାଇିଁ।
ଧରଣୀ ସହଇ କେତେ କେତେ ଭାର
ଛାତିକୁ ପଥର କରି
ନଦୀ ବୃକ୍ଷ କେତେ ପାହାଡ ପର୍ବତ
ଆମ ପାଇଁ ଖଞ୍ଜି କରି।
କେବେ କି ମନରେ ପ୍ରତ୍ୟାଶା ରଖନ୍ତି
ଜଗତେ ମହତ ଜନ
ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ
ପରହିତେ ସଦା ମନ।
ଅନ୍ୟ ପାଇଁ ନିତି ଜଳୁଥିବି ପ୍ରଭୁ
କ୍ଷୁଦ୍ର ବତୀଟିଏ ହୋଇ
କେବେ ହେଁ ପ୍ରତ୍ୟାଶା ନରହୁ ମୋ ମନେ
ପରହିତେ ଥିବି ରହି।