STORYMIRROR

Sabita Nayak

Romance

3  

Sabita Nayak

Romance

ପ୍ରତୀକ୍ଷିତ ରାତି

ପ୍ରତୀକ୍ଷିତ ରାତି

1 min
377

ରାତି ଆସେ ଲମ୍ବା ଲମ୍ବା

ପାହୁଣ୍ଡ ପକାଇ

ଆକାଶର ବିଶାଳ ଛାତିରେ

ହସୁଥାଏ ଜହ୍ନ

ତାରାମାନେ କରନ୍ତି ମିଟିମିଟି

ଏକାଜଣେ ଜାଗିଥାଏ

କାହାର ଅଫେରନ୍ତା ବାଟକୁ ଅନାଇ

ରାତିଆସେ ଲମ୍ବା ଲମ୍ବା

ପାହୁଣ୍ଡ ପକାଇ।


କଜ୍ଜ୍ବଳ ସଜ୍ଜଳ ଆଖି

ହୋଇଯାଏ ମୁଦି

ଓଷ୍ଠ ତା'ର ଥରୁଥାଏ

ନିଶଃବ୍ଦ ଶବ୍ଦରେ

ମନରେ ତା' ଅହେତୁକ ଡରର ଛାଇ

କେତେ ଅବା ରହିବ ଅନାଇ

ରାତି ଆସେ ଲମ୍ବା ଲମ୍ବା

ପାହୁଣ୍ଡ ପକାଇ।


ଚିହ୍ନା ଚିହ୍ନା ଲାଗେ ତାକୁ

ଝିଙ୍କାରିର ଶବ୍ଦ

ବେଙ୍ଗର କଟର କଟର 

କରେ ଅସ୍ତବ୍ୟସ୍ତ

ରାତିର ନିସ୍ତବ୍ଧତା ତା'ର

ଏକାନ୍ତ ଆପଣାର

ପ୍ରତୀକ୍ଷା ପରେ ପ୍ରତୀକ୍ଷାର

ଯେପରି ନାହିଁ କେବେ ଅନ୍ତ

ତଥାପି ସେ ରହିଛି ଅନାଇ

ରାତି ଆସେ ଲମ୍ବା ଲମ୍ବା

ପାହୁଣ୍ଡ ପକାଇ।


ରାତିର ଆକାଶ ତଳ

 ଲାଗେ ଫାଙ୍କା ଫାଙ୍କା

ଭାବେ ଜହ୍ନସାଥେ ହେବ

ଦୁଇପଦ କଥା

ହେଲେ ତାକୁ ଦୁଃଖ ଦିଏ

ଜହ୍ନର ନୀରବତା

ଗୁମ୍ ସୁମ୍ ଜହ୍ନ ଅବୁଝା ତା' ଭାଷା

ତଥାପି ସେ ହାରିବାକୁ ଚାହେଁନାହିଁ

ରାତି ଆସେ ଲମ୍ବା ଲମ୍ବା

ପାହୁଣ୍ଡ ପକାଇ।


ଘଣ୍ଟା ପରେ ଘଣ୍ଟା

ଯାଏ ବିତି

ଘଣ୍ଟାର ଟିକ୍ ଟିକ୍ ଶବ୍ଦ

ମାପୁଥାଏ ଛାତିର ଶବ୍ଦକୁ

ଆଖିଲୁହ ଗଡିଯାଏ

ଚିବୁକ ଦେଇ ଓଷ୍ଠର ପାଖକୁ

ଚୁପଚାପ ରାତି ଚାଲିଯାଏ

କିଛି ବି ନ କହି

ରାତି ଆସେ ଲମ୍ବା ଲମ୍ବା 

ପାହୁଣ୍ଡ ପକାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance