STORYMIRROR

MADHU MITA

Abstract Classics

4  

MADHU MITA

Abstract Classics

ପ୍ରତୀକ୍ଷା

ପ୍ରତୀକ୍ଷା

3 mins
314

କେତେ ଆତୁରତାର ସହ ମୁଁ ଅପେକ୍ଷା କରିଛି

ତଥାପି କାହିଁକି ତୁମେ ଆସୁନ?

କଣ ଏମିତି ଅଛି ଯାହା ତୁମ ରାସ୍ତା ଅବରୋଧ କରିଛି

ଏପରି କି ଶକ୍ତି ଅଛି.. ଏମିତି କି ବ୍ୟୁହ ଅଛି

ଯାହା ତୁମ ପାଇଁ ଅଭେଦ୍ୟ.. କୁହ..!


କେବଳ ସେଇ ଗୋଟିଏ କଥା..ତୁମେ ଆସିବ..

ସେତିକି ପ୍ରତିଶ୍ରୁତି ଯଥେଷ୍ଟ ମୋ ପାଇଁ..

ଆଉ ମୁଁ ଜାଣେ ତୁମେ କେବେ ମଧ୍ୟ

ନିଜ କଥା ଭାଙ୍ଗି ଦିଅ ନାହିଁ।

ସେ ବିଶ୍ୱାସ ହିଁ ତ ମୋ ଅସ୍ତିତ୍ବର ମୂଳ..!!


ଥରେ କେବଳ କହି ଦେଇଛ ଆସିବ..

ଯେତେବେଳେ ତୁମ ଆବଶ୍ୟକ ହେବ..

ସେଥିପାଇଁ ତ ଆସିଛ..

ଉଦ୍ଧାର କରିବାକୁ ବାରମ୍ବାର ବିଭିନ୍ନ ରୂପ ଧାରଣ କରି..!


କେହି ମଧ୍ୟ ଭାବି ନ ଥିଲେ

ସେଦିନ ସେ ଅଥଳ ଜଳ ପ୍ରଳୟରୁ

ମୁଁ ବାହାରି ପାରିବି ବୋଲି କି ସେ ହଳାହଳ ବିଷ ବଳୟରୁ

ମୁଁ ମୁକ୍ତ ହୋଇ ପାରିବି ବୋଲି..!

କିନ୍ତୁ ତୁମେ ଆସିଥିଲ ଆଉ ମୋତେ ହାତ ଧରି

ସେ ବିପଦରୁ ବାହାର କରି ଦେଇଥିଲ..!!


କେତେ ଥର ଅତିଷ୍ଠ ହୋଇ ଡାକିଛି ମୁଁ..

ଆଉ ପ୍ରତିଥର ସେଇ ମନଲୋଭା ହସ ହସି ତୁମେ ଆଗେଇ ଆସିଛ ମୋତେ ଟିକେ ହସେଇବା ପାଇଁ..

ମୋ ଲୁହ ଟିକକ ପୋଛି ଦେବା ପାଇଁ..

ଆଉ ସେଥିପାଇଁ ଆଜି ଏ ବ୍ୟାକୁଳତା..

ଆଜି ଏ ବିଳମ୍ବ ସତରେ ସହ୍ୟ କରି ହେଉନି..!!


ସତ କହୁଛି..ସର୍ବଂସହା ହୋଇ ରହିବାକୁ

ପସନ୍ଦ କରିଛି କେବଳ ତୁମ ସାନିଧ୍ୟ ଟିକେ ପାଇବି ବୋଲି।

ମୋ ବକ୍ଷ ବିଦାରି ଆଧାର ବନ୍ଦୋବସ୍ତ ବ୍ୟବସ୍ଥାରେ

ଖୁସି ହୋଇଛି କାରଣ କେବଳ ତୁମେ ଥରେ ମୋ ପାଖକୁ ଆସିଯିବ ବୋଲି।

ତୁମ କୋମଳ ପଦ ଚାରଣ ମୋ ପୀଡ଼ା ହରି ନିଏ..

ଜାଣିଛ ନା..! ତୁମ ସେ ରଙ୍ଗ ଅଧର ର ସ୍ମିତହାସ୍ୟ ଦେଖିଦେଲେ

ମୁଁ ପୁନଃ ଜୀବିତ ହୋଇଉଠେ..ଜାଣିଛ ନା..!

ତୁମ ଚୁମ୍ବକୀୟ ସ୍ପର୍ଶ ର ଶିହରଣରେ ମୁଁ ପ୍ରସ୍ଫୁଟିତ ହୋଇଥାଏ..

ଏହା ବି ଜାଣିଛ ନା..!ତୁମେ ତ ସର୍ବଜ୍ଞ..

ଜାଣି ନ ଥିବ ବା କିପରି..?? କିନ୍ତୁ ମୋ ଆବିଲତା

ଦେଖ..ପାଗଳିଙ୍କ ପରି ତୁମକୁ ଜଣେଇ ଦେଉଛି..

ମନ ଗହନ କଥା କହି ବସିଛି..!!


ଆଉ କଣ କରିବି କହିଲ..?

ଆଜି ମୋ ଛାତି ଫାଟି ଯାଉଛି

ବହୁତ୍ ଯନ୍ତ୍ରଣା ହେଉଛି ମୋ ଶରୀର ମନ ମଧ୍ୟରେ..

ଯେଉଁ ସୁଖ ଶାନ୍ତି ତୁମେ ମୋ ଅଞ୍ଚଳ ରେ ଢାଳି ଦେଇଥିଲ..

ଆଜି ତାହା ସ୍ବାର୍ଥ ଆଉ ପରଶ୍ରୀକାତରତା ହସ୍ତଗତ ହୋଇ ସାରିଛି

ତେଣୁ ଆଉ ଆଜି ମୋ ପାଖରେ କିଛି ନାହିଁ

ଦୁର୍ବିପାକ ସହିବା କ୍ଷମତା ଦେଇଛ ତୁମେ..

କିନ୍ତୁ ମନୁଷ୍ୟକୃତ ଅପରାଧ ବୋଝ ସହି ପାରୁନି..!!


ପ୍ରତିଶ୍ରୁତି ଦେଇଛ..

ଯେତେବେଳେ ଅଧର୍ମ ରାଜୁତି କରିବ

ତୁମେ ଆସିବ ଧର୍ମ ସଂସ୍ଥାପିତ କରିବା ପାଇଁ..

ପୁନଃ ମୋତେ ଉଦ୍ଧାର କରିବା ପାଇଁ..!

ଆଉ କେତେ ଅଧର୍ମକୁ ଜଗିଛ କୁହ..

ଆଉ କେତେ ପାପ ଭାର ମୁଣ୍ଡେଇବି କୁହ..!

ଆଉ କେତେ ରକ୍ତ ବୁହାଇବି କୁହ..?


ଆଉ ନୁହେଁ.. ଆସିଯାଅ..ଆଉ ଡେରି କରନି..

ତୁମର ବିଳମ୍ବ ଆଗମନ ମୋ ଅନ୍ତ ର କାରଣ ନ ହୋଇଯାଉ..!

ଛାତି ଫାଟିଯିବା ଆଗରୁ ଦୁଇ ହାତ ଟେକି

ଆତୁର କଣ୍ଠରେ ବିକଳ ପ୍ରାର୍ଥନା କରୁଛି..

ନିଜ କଥା ନିଜେ ରଖ..ନିଜ କଥା ନିଜେ ରଖ…


ଆଉ..ପୃଥିବୀ ପୃଷ୍ଠ ବିଦାରି ପ୍ରଥମ ଥର ପାଇଁ

ଏକ ବୈଦ୍ୟୁତିକ ଜ୍ୟୋତି ବାହାରି

ଆକାଶ ଆଡ଼କୁ ଯାଉଥିବା ଦେଖାଗଲା……

ଆଉ ଆକାଶର ଫାଟ ଦେଇ ଦୃତଗତିରେ କିଛି ଆସିଯାଇଥିଲା…!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract