ପ୍ରତିଧ୍ବନି
ପ୍ରତିଧ୍ବନି


ଏହା ପ୍ରତିଟି କୋଷର ଏକ ଅନ୍ତଃସ୍ଵର
ଯେବେ ଅସହିଷ୍ଣୁତା ହୁଏ ସୀମା ପାର
ହୃଦୟରେ ମସ୍ତିଷ୍କରେ ସୃଷ୍ଟି ହୁଏ କମ୍ପନ
ପ୍ରଜ୍ଜଳିତ ହୁଏ କ୍ରୋଧ ଅଗ୍ନିଶିଖା ସମାନ।।
ହେଉ କାହାକୁ ନ୍ୟାୟ ପ୍ରଦାନ କରିବାକୁ
ଅବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ
ବାକ୍ ଶକ୍ତି ନହେଉ କେବେ କ୍ଷୀଣ
ପ୍ରତିଧ୍ୱନି ନିଶ୍ଚୟ ହେଉ ଦିଗନ୍ତ ପ୍ରଶାରି।।
ସମୟର ଅଦେଖା ସୁଅରେ ବିଦିତ ଅଛି
ଆକ୍ରୋଶର ଶିକାର ସେ ନିଶ୍ଚୟ ହୋଇଛି
କିନ୍ତୁ ସେ ବି ଧନଞ୍ଜୟ ସୁତ ଅଭିମନ୍ୟୁ
ହାରିବନି ଯେବେ ଯାଏ ଅଛି ଶେଷ ରକ୍ତ କଣିକା ।।
ଅନ୍ୟାୟ ଅନୀତି ସହିତ କେତେ ଦିନ ବଞ୍ଚିବ
ଅଶ୍ଵତ୍ଥାମା ପରି ନିଶ୍ଚେ ମୃତ୍ୟୁର ଭିକ୍ଷା ମାଗିବ।।