ପ୍ରତିବାଦ
ପ୍ରତିବାଦ
ପ୍ରତିବାଦ ବହ୍ନି ପ୍ରଜ୍ବଳିତ ହେଉ
ମାନବର ଅନ୍ତଃ ସ୍ଵରେ
ଶୋଷଣ କଷଣ ବିରୁଦ୍ଧରେ ଲଢ଼
ତୀକ୍ଷ୍ଣ ମସୀର ଧାରେ ।
ଭାଙ୍ଗରେ ନିଦ୍ରା ସୁପ୍ତ ଜନତା
ମଥା ତୋଳି ଚାହଁ ବାରେ
କେତେ ଦିନ ଆଉ ଲାଂଛିତ ହେବୁ
ଅତ୍ୟାଚାରୀର କରେ ।
ନର ଦେହ ଧରି ସ୍ଵଜାତି ରକତେ
ଖେଳନ୍ତି ଯେସନେ ହୋଲି
କେତେବା ସହିବ ଅନ୍ୟାୟର ଭାର
ଦେଖିବ ଚକ୍ଷୁ ଖୋଲି ।
ରକ୍ତ ମାଂସର ଦେହ ଧରି ଯେବେ
ପ୍ରସ୍ତର ହୃଦ ବହେ
କିଏବା କହିବ ମାନବଟି ସିଏ
ଧରା ବକ୍ଷରେ ଶୋହେ ।
ଶୂନ୍ୟ ହସ୍ତରେ ପ୍ରବେଶ ପ୍ରସ୍ଥାନ
ଵିଧିର ନିର୍ଦ୍ଦେଶ ବହି
ସ୍ୱାର୍ଥ ଲୋଭରେ ମୂଢ଼ ଏ ମଣିଷ
ଦ୍ରୁତେ ଯାଉଛି ଧାଇଁ ।
କି ଅବା ଘେନିବ ବିଦାୟ ବେଳାରେ
ନିର୍ବୋଧ ହେଜ ମନେ
ପଞ୍ଚ ଭୂତରେ ବିଲୀନ ହୋଇବ
ଏ ମର ଶରୀର ଦିନେ ।
ଧନ ଜନ କେହି ଯିବେନି ସାଥୀରେ
ଏକାକୀ ଯିବୁରେ ଧନ
ଲୋଡ଼ା ଏକା ସିନା ଯଶ ଗଉରବ
ଆନ ସେବା ପୁଣ୍ୟ ଧର୍ମ ।
