STORYMIRROR

Prasanna Kumar Madala

Inspirational

4  

Prasanna Kumar Madala

Inspirational

ପ୍ରତି ନବବର୍ଷ

ପ୍ରତି ନବବର୍ଷ

1 min
183


ଦଶନ୍ଧି ଧରି ଚାଲିଥିବା

ଅଭିସନ୍ଧିମୂଳକ ଅବରୋଧର

ଅନାବଶ୍ୟକ ଗୁପ୍ତ ପ୍ରାୟୋଜନ ବନ୍ଦ କର

ଏହିକ୍ଷଣି ମାନିଯାଅ , ବାଟ ଛାଡ

ଖୋଲା ରହୁ ସମଗ୍ର ଆକାଶ ,

ବିନାଶକ ବାଦଲ ଘୋଟି ଆସିବା ପୂର୍ବରୁ

ପହଞ୍ଚି ଆସୁ ଆଶାର କିରଣ ।


ବିରାଗରେ କୂଳ ଖାଏ ବିରହର ନଈବଢି

ଏଠି ଏବେବି ଏହି ପ୍ରେମର ସହରେ

ହେଉ କି ନହେଉ ଯୋଗାଡ଼ ଆଶ୍ବସ୍ତିର ରିଲିଫ

ମାନବିକତା ମରିବା ଆଗରୁ

ସେମାନଙ୍କୁ ଜିଇଁବାକୁ ଖୋଲା ଛାଡିଦିଅ...

ନିର୍ଦ୍ଧାରିତ ସମୟରେ

ଶେଷ ହେଉ କଳା ପାଗୋଡାର ଦୁର୍ଲଭ ସ୍ଥପତି ।


ଥମିନି ଏଯାଏଁ ତୋଫାନର ଶବ୍ଦ

ଯାତନାର କବନ୍ଧ-ହାତ ଅପେକ୍ଷାକୃତ ଦୃଢତର

ବଞ୍ଚି ଯାଉ ଶେଷଥର ପାଇଁ

ଝଲମଲ ଆତପର ଅସ୍ମିତା ଟିକକ ।

ସୁନେଲି ସ୍ବପ୍ନର ସକାଳ ବ୍ୟର୍ଥ ନହେଉ

ନୂତନ ସମ୍ଭାବନାର ପ୍ରକାଶରେ

ତୁମେ ବି ଆସ , ଆମେ ବି ଅଛୁ

ମିଳିମିଶି ଝଲସାଇବା ଜ୍ୟୋତିମାଳ

ଏଇଠି ସେଇଠି ପ୍ରତ୍ୟେକଙ୍କ ଘରେ ।


ଉପୁଜାଇବା କ୍ଷିତିଜ ପର୍ଯ୍ୟନ୍ତ

ସୁନାରେ ମଣ୍ଡିତ 

ଉଦ୍ଭାସିତ ସକାଳର ଫସଲ

ଆଉ ବସାଇବା ଧରଣୀରେ 

ସଂଘବଦ୍ଧ ମଣିଷର ସୌହାର୍ଦ୍ଦ୍ୟ ବସତି ।

କପଟ କଳହ ଭୁଲି

ସୁମଙ୍ଗଳ ଗୀତ ଗାଇ ଆଣିବା ପାଛୋଟି

ବର୍ଷ ପରେ ବର୍ଷ ପ୍ରତି ନବବର୍ଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational