ପ୍ରତାରିତ ପ୍ରେମ
ପ୍ରତାରିତ ପ୍ରେମ
ଶୀତୁଆ ରାତିର,କାଲୁଆ ଛାତିରେ,
ଚାଲି ଚାଲି ଯେବେ ଦେହ ଅବଶ।
ମହୁଲି ବୟସେ, ପହିଲି ଛୁଆଁ ରେ,
ଭରି ଦେଲ ମଧୁ ମଦିରା ହସ ।
ଦେହ ଜାକିଜୁକି, ଖୋଜୁଥିଲା ଯେବେ,
କଅଁଳ ମାଉଁସ ଉଷୁମ ତାତି।
ଇପ୍ସିତ ଇନ୍ଦ୍ରିୟ ଲାଳସା ପୁରାଇ,
ପୁହାଇବି ବୋଲି ବାସର ରାତି।
ଭୁରୁଭୁରୁ ଗନ୍ଧେ,ସରଜିଲ ତୁମେ,
ଅଦିନିଆ ଲଘୁଚାପ ର ବର୍ଷା।
ପ୍ରଗଳ୍ଭା ନଈର ସୁଅରେ ବୁଡାଇ,
ମାରି ଦେଲ ମନ ପକ୍ଷୀର ଆଶା।
କେତେ ଆଶା ଦେଲ,ବସି ମୋ ମଙ୍ଗରେ,
ସମ୍ଭାଳିବ ମୋର ଦଦରା ନାବ।
ପହିଲି ବସନ୍ତେ, ପ୍ରୀତି ରଙ୍ଗ ମାଖି,
ଲେଖିଦେଲ ପ୍ରୀତି ଛଳନା କାବ୍ୟ।
କେତେ ଆଶା ଥିଲା,ସିନ୍ଥିରେ ତୁମର,
ଟାଣିବି ଅଲିଭା ସିନ୍ଦୂର ଗାର।
ନିଦୁଆ ମନର ମଦୁଆ ସପନ,
ଭାଙ୍ଗି ଢାଙ୍କି ଦେଲ,ଅମା ଅନ୍ଧାର।
ଡଙ୍ଗା ବୁଡାଇଲ, ଅପବିତ୍ର କଲ ,
ପବିତ୍ର ଗଙ୍ଗାର ଅମୃତ ମଧୁ।
ମିଛ ଆତ୍ମିୟତା,ମିଛ ପ୍ରହେଳିକା,
ଦେଖାଇ ହୋଇଲ ଆଉ କା' ବଧୂ।
ଅନ୍ଧ ମୋହେ ବୁଡ଼ି,ବାଟ ଗଲି ହୁଡି,
ଏଇ ଜନ୍ମ କଲି ପାଣି ଫୋଟକା।
ଏମିତି ନ ହେଉ,ମୋ' ପରି କେ ଆଉ,
ତୁମ ଠାରୁ ଖାଇ ଚାଲନ୍ତୁ ଧୋକା।
