STORYMIRROR

RAKHAL CHANDRA SWAIN

Others

4  

RAKHAL CHANDRA SWAIN

Others

ଛାଡି ପାରୁନି ମୋ ଗାଆଁ

ଛାଡି ପାରୁନି ମୋ ଗାଆଁ

1 min
387

ଛାଡ଼ି ପାରୁନି ମୋ ଗାଆଁ

ପବନ କହୁଛି ଆ

ଯୋଗାଇବି ତୋତେ ବିଶୁଦ୍ଧ ପବନ

ନ ଥିବ ଯେଉଁଠି ବାୟୂ ପ୍ରଦୂଷଣ

ନିରୋଗୀ ହୋଇ ତୁ ଥାଆ

ଛାଡ଼ି ପାରୁନି ମୋ ଗାଆଁ ।


କେନାଲ କହୁଛି ଆ

ହାତେ ଧରି ତୋର ଦାଆ

ବରଷକ ସାରା ଯୋଗେଇବି ପାଣି

ହଳ କରି ଜମି,ଧାନ ଦେଏ ବୁଣି

ନିଜ ଜମି କିଆଁ ପକେଇ ପଡିଆ

କିଣିବୁ ପରିବା, ବିଷ ରଙ୍ଗ ଦିଆ

ଶାଗ,ମୁଗ,ଜହ୍ନି,ପୋଟଳ ଫଳେଇ,

ତଟକା ପରିବା ଖାଆ

ଛାଡ଼ି ପାରୁନି ମୋ ଗାଆଁ ।


ନଈ ବି କହୁଛି ଆ

ଭସେଇ ମୋ ଦେହେ ନାଆ

ମୁଣ୍ଡ ଭଉଁରିଆ ଜାଲ ଫୋପାଡିବୁ

ଶେରଣା,ବାଳିଆ,ତାଟରା ଧରିବୁ

ଆମ୍ବୁଲ ଝୋଳରେ ଟାକରା ଫୁଟେଇ

ତଟକା ମାଛ କୁ ଖାଆ

ଛାଡ଼ି ପାରୁନି ମୋ ଗାଆଁ।


ପଡ଼ିଶା କହୁଛି ଆ

ଭାଇ ବନ୍ଧୁ ହେଇ ଥାଆ

ସଞ୍ଜ ହେଲେ ବସି ଭାଗବତ ଘରେ,

ଖଟି ଜମେଇବୁ ସାଇ ଭାଇ ମେଳେ

ଖଞ୍ଜଣି ବାଡ଼େଇ,ଡିବି ଡିବି ସ୍ବରେ

କାଳିଆ ଭଜନ ଗାଆ

ଛାଡ଼ି ପାରୁନି ମୋ ଗାଆଁ।


ଛାଡ଼ି ପାରିବିନି ଗାଆଁ

ଛାଡି ପାରିବିନି ମାଆ

ଯେଉଁଠି ଉଠିଛି ମୋ ଏନ୍ତୁଡି ଧୂଆଁ

ସେଇଠୁ ହୋଇବ ମୋ କୋକେଇ ବୁହା

ସେଇ ମୋର ମାଟି ମାଆ

ସେଇ ମାଟି ମୋର ସାହା

ଛାଡି ପାରିବିନି ଗାଆଁ

ଛାଡି ପାରିବିନି ଗାଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍