STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ପ୍ରକୃତି ପ୍ରୀତି

ପ୍ରକୃତି ପ୍ରୀତି

2 mins
282

ଏଇ ଯେ ସୁରମ୍ୟା ପ୍ରକୃତି ରାଣୀ

କ୍ଷୁଦ୍ରାତିକ୍ଷୁଦ୍ର କୀଟ ପତଙ୍ଗ ଠୁ

ବିଶାଳକାୟ ଜୀବଜନ୍ତୁ ବୃକ୍ଷଲତା

ସଭିଙ୍କର ଅଟେ ସେଇ ମାତା

ସଭିଏଁ ତା'ର ଅଂଶ ବିଶେଷ

ସଭିଙ୍କର ଅଛି ତ ଜୀବସତ୍ତା

ସଭିଏଁ ପ୍ରାଣବନ୍ତ ସଜୀବ ଜାଗ୍ରତ

ଆନ ସୁଖ ଲାଗି ଏକଇ ଅଭିପ୍ରେତ।

ସଭିଏଁ ଆପଣା ଆପଣା ପ୍ରକୃତିରେ ଅନନ୍ଯ

କେହି କାହାରିଠୁ ନୁହେଁ ତ ଭିନ୍ନ

ପ୍ରକୃତି ନିମନ୍ତେ ହିଁ ସଭିଙ୍କର ଜୀବନ

ପ୍ରକୃତି ହିଁ ସଭିଙ୍କର ବାସସ୍ଥଳୀ,

ପ୍ରକୃତି ହିଁ ଲୀଳାଖେଳାର ଭୂଇଁ

ପ୍ରକୃତି ହିଁ ସଭିଙ୍କୁ ଦିଅଇ ଆହାର

ତଥାପି ଏଠି କିଆଁ ମନୁଷ୍ଯର ଅତ୍ୟାଚାର?

ପ୍ରକୃତିର ଆତ୍ମାକୁ କରେ କୁଠାର ପ୍ରହାର

ବାର ବାର ବାରମ୍ବାର ଅହର୍ନିଶି ନିରନ୍ତର।

ଜୀବ ଶ୍ରେଷ୍ଠ ମନୁଷ୍ଯ ପରି

ମୁକ ପଶୁପକ୍ଷୀ ପାଦପ ଲତା ବି

ଏଇ ପ୍ରକୃତିରେ ଅଂଶୀଦାର

ଭୂମିରୁ ଭୂମା ଯାଏଁ ସର୍ବବ୍ୟାପୀ

ଜଳ ସ୍ଥଳ ବନ ଗିରି ଆକାଶ

ମରୁଭୂମି ଅବା ଅଥଳ ସାଗର

ପ୍ରକୃତିର ବିସ୍ତୃତ ବିଶାଳ ସମ୍ଭାର

ଆଜି ସବୁଠିଁ ଶୁଭେ ହାହାକାର

ମନୁଷ୍ୟର ଅମାନୁଷିକ କାଣ୍ଡରେ

ଏଇ ସସାଗରାଧରା ଥରହର

ତ୍ରାହି ତ୍ରାହିର ବିକଳ ଚିତ୍କାର।

ବିଶ୍ବ ବିଧ୍ବଂସୀ ଅସ୍ତ୍ରଶସ୍ତ୍ରର ପ୍ରୟୋଗ

ନାନାଦି ରସାୟନର ବିଷାକ୍ତ ପ୍ରଭାବ

ହ୍ରାସ ପାଉଛି ଓଜେନ୍ ସ୍ତର

ତରଳି ଯାଉଛି ମେରୁର ହୀମସାଗର

ବୃଦ୍ଧି ପାଉଛି ବିଶ୍ବ ତାପମାତ୍ରା

ହଜିଗଲାଣି ଜୈବ ବିବିଧତା

ଅଥଚ ଘାରୁନାହିଁ ମନୁଷ୍ଯକୁ ଚିନ୍ତା।

ସୁବିଧାବାଦର ପର୍ବତ ଶିଖରେ

ହୋଇଣ ଦଣ୍ଡାୟମାନ ଏଇ ମନୁଷ୍ଯ

ଖୋଜୁଛି ଅନ୍ୟ ଏକ ଗ୍ରହ

ଯେଉଁଠି ରଚିବ ସିଏ ନୀଡ଼ ଆପଣାର

ନଥିବ ତାହାର ସେଠି କାହାରିକୁ ଡର

ଆପଣାକୁ ବୋଲାଇବ ତହିଁର ଇଶ୍ବର।

ଇଶ୍ବର ବନିବା କି ସହଜ କଥା?

ଲାଗିଛି କି ପିଲା ଧୂଳି ଖେଳ?

ଅବା ହେଲାଣି କି ମତିଭ୍ରମ?

ଅବା ତୁମ୍ଭ ବିଧି ବାମ?

ନୂଆ ଦୁନିଆ ଗଢିବା ଠୁଁ

ପୁରୁଣା ଦୁନିଆ ସଜାଡିବା ଶ୍ରେୟସ୍କର

ଶାନ୍ତି ମୈତ୍ରୀ ପ୍ରୀତିରେ ସହାବସ୍ଥାନ

ଜୀବନକୁ ଗଢି ତୋଳିବ ମହୀୟାନ।

ଆହେ ଜୀବ ଶ୍ରେଷ୍ଠ ମନୁଷ୍ଯ!

ବାରେ ହେଜ ଏଇ ବାରତା

ତ୍ଯଜି ତୁମ୍ଭ ନୀତି ସ୍ବାର୍ଥପର

ସଭିଙ୍କୁ ସାଥିରେ ଧରି ଜୀଇଁବାକୁ

ବଜ୍ର ଶପଥଟିଏ ଆଗେ କର

ହସି ଉଠିବ ପ୍ରକୃତି ରାଣୀ

ହସି ଉଠିବ ଏଇ ଧରଣୀ

ସାର୍ଥକ ହୋଇବ ତୁମ୍ଭ ଜୀବନ

ସଭିଏଁ କରିବେ ଗୁଣଗାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract