ପ୍ରକୃତି ନନ୍ଦିନୀ
ପ୍ରକୃତି ନନ୍ଦିନୀ
ହେ ସୂର୍ଯ୍ୟ !
ଆଲୋକର ଉତ୍ସ ,
ଜ୍ୟୋତିର୍ଗମୟ,
ଦୀପ୍ତିର ଦ୍ୟୋତକ
ତୁମରି କିଞ୍ଚିତ ଉତ୍ତାପ
ମୋ' ଜୀବନ ପୃଷ୍ଠାର
ପ୍ରାଥମିକ ପୃଷ୍ଠ ପୋଷକ !
ହେ ସାଗର !
ତୁମେ ମହୋଦଧି,
ପ୍ରମତ୍ତ ଅଥଚ ପ୍ରଶାନ୍ତ
ତୁମ ଅଥଳ ବକ୍ଷର
ଧାରେ ଜଳ ବିନ୍ଦୁ ଦେଇ
ବଢ଼େଇଛ ମୋତେ !!
ହେ ପବନ !
ମୋର ଅଂକୁରଣ
ତୁମରି ଶିଥିଳ ସ୍ପର୍ଶର
ବିମୁଦ୍ରୀକରଣ
ଅର୍ଦ୍ଧ ନିମୀଳିତ ଧୂମାଭ ପାଖୁଡା
ତୁମ ସଂସ୍ପର୍ଶରେ ପ୍ରସ୍ଫୁଟିତ !!!
ବସୁଧା ଗୋ !
ମୋ' ପରାଗ ରେଣୁ ସବୁ
ପରିବ୍ୟାପ୍ତ,ବଳିଷ୍ଠ,ପ୍ରତିଷ୍ଠିତ
ଆଜି ମୁଁ ଏକ ପୂର୍ଣାଙ୍ଗ ମହାଦ୍ରୁମ !
ତୁମରି କୋଳରେ,ତୁମରି ବକ୍ଷରେ
ନାଚିଛି,ଖେଳିଛି,ସଙ୍ଗୀତ ଗାଇଛି
ସତେ କି,ମୁଁ ଏକ ସ୍ୱାଧୀନ ରାଜ ଦୁଲାଳୀ !
ପ୍ରକୃତି ଲୋ !
ମୁଁ ତୋର ଭୂଷଣ,
ତୁ ମୋର ଆଭରଣ
ଜୀବନର ଝଙ୍କାରରେ ଝଙ୍କୃତ ମୁଁ
ମୁଁ ଆଜି ଆହ୍ଲାଦିନୀ,
ମୁଁ ଆଜି ପ୍ରକୃତି ନନ୍ଦିନୀ
ମୁଁ ଆଜି ସ୍ୱତଃ ସମୃଦ୍ଧ
ଫୁଲ,ଫଳ,ପତ୍ର,ଚେର,ମୂଳ
ନିଖୁଣତାରେ ଭରପୂର !
କିନ୍ତୁ ; କାହିଁ ?
କାହିଁ ମୋ' ସୁରକ୍ଷା
ନ୍ୟୂନ ମାତ୍ର ନୁହେଁ ସୁରକ୍ଷିତ ।
ତିଳେ ମାତ୍ର ନାହିଁ ମୋ' ଗୁରୁତ୍ୱ ।
ନିର୍ମମ ମଣିଷର ରୁକ୍ଷ ସଂହରଣ
ମୋ' ପାଇଁକି ଅସୁରକ୍ଷିତ ବଳୟ
ହେ ବିଶ୍ୱ ନିୟନ୍ତା !
କୁହ ତ, କର ନିର୍ଦ୍ଧାରଣ
ପ୍ରଶସ୍ତ ମୋ' ମନ,
ଫୁଲ,ଫଳ,ଛାୟା ପ୍ରଦାନରେ
ନୁହେଁ ମୁଁ କୃପଣ, ଅବିରତ
ଅହରହ,ମୁଁ ଉତ୍ସର୍ଗୀକୃତ
ମଣିଷ ସେବାରେ
କିନ୍ତୁ ; ପରାଜିତ,ପ୍ରଶମିତ
ଅଙ୍ଗ ଅଙ୍ଗ ମୋର ବିକ୍ଷିପ୍ତ,ବିଲୁପ୍ତ
ମଣିଷର ଉଦ୍ଦାମ ଆକାଂକ୍ଷା ଆଗେ
ଧ୍ୱସ୍ତ ବିଧ୍ୱସ୍ତ ମୁଁ !!
କୁହ,ତାହେଲେ
ତୁମେ କ'ଣ ଭୟଭୀତ
ସଂକୀର୍ଣ୍ଣ କିନ୍ନର,
ମଣିଷର କ୍ରୂରତାର ଆଗେ ?
