ପ୍ରକୃତ ବନ୍ଧୁ
ପ୍ରକୃତ ବନ୍ଧୁ
ଉତ୍ତମ ବାନ୍ଧବ ସାକ୍ଷାତ ମାତ୍ରକେ
ମନ ହୁଏ ହର୍ଷୋତଫୁଲ୍ଲ
ଲାଘବ ହୁଅଇ ଦୁଃଖ ଅବସାଦ
ମିଳେ ସ୍ନେହ ପ୍ରେମାଦର ।
ଲାଗେ ସୁଶୀତଳ ହୃଦୟ ପ୍ରାଣକୁ
ପ୍ରିୟବନ୍ଧୁ ସମ୍ଭାଷଣ
ସୁଖ ଅବା ଦୁଃଖେ ପ୍ରକୃତ ବାନ୍ଧବ
କରନ୍ତି ମାର୍ଗଦର୍ଶନ ।
ଛଦ୍ମ ମିଥ୍ୟା ବନ୍ଧୁ କହନ୍ତି ମଧୁର
ହୃଦେ ହଳାହଳ ବିଷ
ମର୍ମକଥା ଜାଣି ସୁଯୋଗ ଉଣ୍ଡିକି
କରିଥାନ୍ତି ସର୍ବନାଶ ।
ଶଠ ପ୍ରବଞ୍ଚକ ଖଚ ନିଶାଖୋର
ନିର୍ଲଜ ବଦମାସିଆ
କରୁଥାନ୍ତି ସଦା ଛିଦ୍ର ଅନ୍ୱେଷଣ
ଲାଞ୍ଚୁଆ ତୋଷାମଦିଆ ।
କୃପଣ ମିଛୁଆ ଅବା ଜିଦିଖୋର
ନୁହଁନ୍ତି ମିତ୍ର ଭାଜନ
ଦୁଶ୍ଚରିତ୍ର ସଙ୍ଗେ ବାନ୍ଧିଲେ ବନ୍ଧୁତା
ହୁଅଇ ହାନି ସମ୍ମାନ ।
ବନ୍ଧୁର ପରଖ ହୁଅଇ ଆଦରୁ
ବିପଦ ଆପଦ କାଳେ
ବନ୍ଧୁ ଦିଏ ବଳ ଠିଆ ହୁଏ ଆସି
ସର୍ବଦା ବେଳ ଅବେଳେ ।