ପ୍ରକୃଷ୍ଟ ଶିକ୍ଷକ ସହିତ ପ୍ରକୃତି
ପ୍ରକୃଷ୍ଟ ଶିକ୍ଷକ ସହିତ ପ୍ରକୃତି
ପ୍ରକୃତି ହିଁ ମାଆ, ମାଟି,ଜନ୍ମଭୂମି
ସ୍ଵର୍ଗ ଠାରୁ ବି ମହାନ
ପ୍ରକୃତି ଭୂସ୍ବର୍ଗ ମାଆ ଭୂମିକାରେ
ସର୍ବାଗ୍ରେ ମାଆର ସ୍ଥାନ
ପ୍ରକୃତି ମା' କୋଳେ ଏ ଜୀବ ଜଗତ
ଅହରହ ଆତଯାତ
ପ୍ରକୃତି ମା' ଠାରୁ ଶିକ୍ଷା ପ୍ରାପ୍ତ ବଳେ
ଜ୍ଞାନ ଆପେ ବିକଶିତ
ଜୀବନ ସହିତ ଜଡ଼ିତ ପ୍ରକୃତି
ଆବାହମାନ କାଳରୁ
ଜୀବନର ଶିକ୍ଷା,ଜୀବନ-ଜୀବିକା
ସବୁ କିଛି ପ୍ରକୃତି ରୁ
ପ୍ରକୃତି କୋଳରେ ମଣିଷ ସଭ୍ୟତା
ଜୀବଜନ୍ତୁ ଗହଣରେ
ପାହାଡ ପର୍ବତ ଆକାଶ ସମୁଦ୍ର
ବିଲ ବଣ ନଦୀ ଧାରେ
ଅସ୍ତିତ୍ବ ର ମୂଳ ଆଧାର ଦୁଇଟି
ଏହି ସୃଷ୍ଟି ଉତ୍ପତ୍ତି ର
ପ୍ରକୃତି ପୁରୁଷ ମିଳନ ବଳରେ
ଗତିଶୀଳ ଏ ସଂସାର
ପ୍ରକୃତି ହିଁ ଦେବୀ ସ୍ୱରୁପିଣୀ ଶକ୍ତି
ଚଞ୍ଚଳା ସୃଜନ ଧର୍ମୀ
ପୁରୁଷ ହିଁ ଶାନ୍ତ ଶିବ ଓ ଅଦ୍ଵୈତ
ଚେତନ-ଶକ୍ତି ସ୍ଵଧର୍ମୀ
ପ୍ରକୃତି କୋଳର ଜଡ ଓ ଚେତନ
ଶିକ୍ଷାର ଆଧାର ସର୍ବେ
ପ୍ରତି ଅଣୁ ପରମାଣୁ ନିଜ ଗୁଣ
ବିସ୍ତାରି ଅଛନ୍ତି ଭବେ
ପ୍ରବାହିତ ଜଳ ସ୍ରୋତ ହେଉ ଅବା
ଶାନ୍ତ ସରଳ ପ୍ରକୃତି
ପ୍ରେରଣା ଦାୟକ ବ୍ୟକ୍ତି ହେଉ ଅବା
ସମୟର ଟିକ୍ ଟିକ୍ ଗତି
ଶିକ୍ଷା ପ୍ରାପ୍ତ ପାଇଁ ସ୍ଵଂୟ ଅବଧୂତ
ଭେଟିଲେ ଚବିଶ ଗୁରୁ
ଜ୍ଞାନ ଆହରଣ ପାଇଁ ଉପଯୁକ୍ତ
କ୍ଷେତ୍ର ପ୍ରକୃତି କୋଳରୁ
ପୃଥିବୀର କ୍ଷମା, ନିଃସ୍ଵାର୍ଥପରତା
ସର୍ଵଂସହା ଶିକ୍ଷା ପ୍ରାପ୍ତି
ବାୟୁ ଠାରୁ ନିସ୍ପୃହତା ନିଃସଙ୍ଗତା
ଗୁଣ ଶିକ୍ଷା ବି ସମ୍ପ୍ରତି
ଆକାଶ ଯେପରି ଅନନ୍ତ ଅସୀମ
ନାହିଁ କିଛି ଆବିଳତା
ମଣିଷ ମନରେ ଉଚ୍ଚ ଚିନ୍ତା ଧାରା
ନିହାତି ଆବଶ୍ୟକତା
ଜଳ ଶିକ୍ଷା ଦିଏ ଜଳ ହିଁ ଜୀବନ
ପୁଣି ଆବର୍ଜନା ଧୌତ
ଅଗ୍ନି ସେହିପରି ଜାଳି ପୋଡ଼ି ସିଦ୍ଧ
କ୍ରମେ ସବୁ ପରିସ୍କୃତ
ପ୍ରକୃତିର ପଞ୍ଚ ମହାଭୂତ ସମ
ଗୁରୁ ପଦବାଚ୍ୟ କେତେ
ସବୁରି ନିକଟେ ଶିକ୍ଷାର ଭଣ୍ଡାର
ଅବଧୂତ କ୍ରମେ ପ୍ରତେ
ଚନ୍ଦ୍ର ସୂର୍ଯ୍ୟ ପ୍ରତିଫଳିତ ସବୁଠି
ତଥାପି ଅପରିବର୍ତ୍ତିତ
ଶରୀରର ଆତ୍ମା ପରି ଚନ୍ଦ୍ର ସୂର୍ଯ୍ୟ
ନିଜ ଗରିମା ସହିତ
କପୋତ ପରାୟ ଫାଶରେ ଆବଦ୍ଧ
କାମନା ବାସନା ଧାରେ
ସ୍ନେହ ପ୍ରୀତି ଭାବ ବନ୍ଧନ ଧାରାରେ
ବିନାଶ ପ୍ରାୟ ଅଚିରେ
ଅଜଗର ପୁଣି କାଳ ର ପ୍ରତୀକ
ଜୀବ ରୂପୀ ଖାଦ୍ୟ ଖାଏ
ଆତ୍ମ ସମର୍ପଣ ବଦାନ୍ୟତା ଧାରା
ସହଜେ ପ୍ରତ୍ୟୟ ହୁଏ
ସମୁଦ୍ର ସର୍ବଦା ଗମ୍ଭୀର ସ୍ବଭାବ
ଶାନ୍ତ ଓ ଅବିଚଳିତ
ନିଜକୁ ନ ଚିହ୍ନି ଜୁଳୁଜୁଳିଆ ର
ଆଲୋକକୁ ଆକର୍ଷିତ
ପ୍ରଜାପତି ଶୁଭ କାମନା ସହିତ
ଅନ୍ୟର କରେନି କ୍ଷତି
କାମନା ବାସନା ମୃତ୍ୟୁର କାରଣ
ମତ୍ତ ପରେ ଜାଣେ ହାତୀ
ଛୋଟିଆ ଜୀବ ସେ ମହୁ ମାଛି ବରଂ
ଜାଣେ ଆତ୍ମାନୁସନ୍ଧାନ
ଚଞ୍ଚଳ ହରିଣୀ ବ୍ୟାଧ ବଂଶୀ ସ୍ୱରେ
ହାରେ ମନ ସନ୍ତୁଳନ
ବନିଶିର ଥୋପ ଇନ୍ଦ୍ରିୟ ଲାଳସା
କହେ କର ନିୟନ୍ତ୍ରଣ
ଦୈହିକ କାମନା କର ପରିତ୍ୟାଗ
ବେଶ୍ୟା ମୁଖେ ଗୁରୁ ଜ୍ଞାନ
ଛଞ୍ଚାଣ ଥଣ୍ଟ ରେ ମାଂସ ଖଣ୍ଡ ପରି
ଧନ ପ୍ରତି ମୋହ ଜାତ
ଶିଶୁ ଭଳି ଈଶ୍ୱରଙ୍କୁ ଉପଲବ୍ଧି
ଯଥାର୍ଥ ବିଧି ସଙ୍ଗତ
ଏକାଧିକ ଚୁଡ଼ି ପିନ୍ଧି ଥିବା ଝିଅ
ନଷ୍ଟ କରେ ଏକାଗ୍ରତା
ଏକାକୀ ସହିତ ନୀରବତା ବିଧି
ଅନୁମେୟ ବୁଦ୍ଧିମତ୍ତା
ଧନୁ ତୀର ସହ ଶିକାରୀର ଲୟ
ଲକ୍ଷ୍ୟ ପ୍ରାପ୍ତିର ସୂଚନା
ନିଜ ପାଇଁ ସାପ କରେ ନାହିଁ ଘର
ଆସକ୍ତି ହେବାକୁ ମନା
ନିଜ ଲାଳ ଦ୍ଵାରା ବୁଢିଆଣୀ ବୁଣେ
କାଳ ବଳେ ହୁଏ ଛନ୍ଦି
ସତର୍କ ସହିତ ଧ୍ୟାନ ସହକାରେ
କାର୍ଯ୍ୟ ହୁଏ ଆପେ ସିଦ୍ଧି
ବିରୁଡ଼ି କବଳେ ରହି ସଦା ଚିନ୍ତା
ବିରୁଡି ଠାରୁ ମୁକତି
ଚିନ୍ତା ଚେତନାରେ ଲକ୍ଷ୍ୟ ପ୍ରାପ୍ତି ଚିନ୍ତା
ଅବଶ୍ୟ ହୁଏ ପ୍ରାପତି
ସର୍ବୋତ୍ତମ ଗୁରୁ ଆସନେ ପ୍ରକୃତି
ପ୍ରଚାରକ ବି ପ୍ରକୃତି
ପ୍ରକୃତି କୋଳରେ ଜୀବଜନ୍ତୁ ଗଣ
କ୍ରମେ ଶିକ୍ଷା ବି ଲଭନ୍ତି
ଅନାବଶ୍ୟକ ପରିବର୍ତ୍ତନ ଶିକ୍ଷା
ପ୍ରଜାପତି କହେ ଧୀରେ
ତାରା ପୁଞ୍ଜ କହେ ଅନ୍ଧାର ହଟାଅ
ଜ୍ୟୋତି ଅଛି ହୃଦୟରେ
ଶୃଙ୍ଖଳା ଓ ସହଭାଗିତା ର ଶିକ୍ଷା
ପିମ୍ପୁଡ଼ି ଦଳ ଭିତରେ
ଭାବ ଦିଆନିଆ ପୁଣି ବୁଝାମଣା
ପକ୍ଷୀଙ୍କ ମେଳି ମଧ୍ୟରେ
ପ୍ରଦର୍ଶନ ଧାରେ ପକ୍ଷୀ ଠାରୁ ଶିକ୍ଷା
ଅସୀମ ସେ ସ୍ଵାଧୀନତା
ପ୍ରକୃତିର ସୃଜନଶୀଳତା ଜ୍ଞାନ
ଜ୍ଞାତ ହେବା ବୁଦ୍ଧିମତ୍ତା
ପ୍ରକୃତି ବି ପ୍ରତି ଶିକ୍ଷକଙ୍କ ଗୁରୁ
ସହଜେ ରହସ୍ୟମୟ
ଜୀବ ଜଗତର ଶୁଭେଛୁ କେବଳ
ସ୍ବାର୍ଥ ପ୍ରତି ଅନାଗ୍ରହ
ପ୍ରକୃତିର ପ୍ରତି ପ୍ରାଣୀ ଅବା ବସ୍ତୁ
ଅର୍ଥ ସହ ଦିଏ ଶିକ୍ଷା
ପ୍ରକୃତିକୁ ହୃଦୟଙ୍ଗମ ବିଧେୟ
ଶିକ୍ଷା ବଳରେ ସୁରକ୍ଷା
ହିମାଳୟ କୁ ପିତାର ମାନ୍ୟତା
ନଦୀ ଈଶ୍ୱର ସମାନ
ଗଙ୍ଗା ଏ ଦେଶର ଦୁହିତା ଓ ମାତା
ପରମ୍ପରା ଧାରେ ମାନ୍ୟ
କଦଳୀ ପତ୍ରରେ ଭୋଜନ ବ୍ୟବସ୍ଥା
ପ୍ରାୟ କୋଣ ଅନୁକୋଣେ
ବାୟୁ,ବୃକ୍ଷ,ସୂର୍ଯ୍ୟ, ମାଟି ହିଁ ଇଶ୍ଵର
ପ୍ରକୃତି ମାତା ପୂଜନେ
ପ୍ରକୃଷ୍ଠ ଶିକ୍ଷକ ସହିତ ପ୍ରକୃତି
ପ୍ରାୟ ସର୍ବେ ଏକମତ
ପ୍ରକୃତି ଓ ପରିବେଶର ସୁରକ୍ଷା
ଚର୍ଚ୍ଚିତ ଖବର ମାତ୍ର
