ପ୍ରଜାପତି
ପ୍ରଜାପତି
ଆଚ୍ଛନ୍ନ ଅଭାବ ସବୁ ଢାଙ୍କି ଦିଏ ରଙ୍ଗର ପସରା
ଉହ୍ୟ ହୋଇ ରହିଯାଏ ହୃଦେ ଭରା ଅମୃତର ଧାରା।
ଦେହ ସାରା କଳା ଅବା ଧୂସର ବା ପାଉଁଶିଆ ରଙ୍ଗ,
ଶରୀରରେ କଣ୍ଟକିତ ଫୁଟିଉଠେ ହୃଦୟର ଢଙ୍ଗ।
ଲୋଭ, ହିଂସା, ମାୟା, ମୋହ ଅସରନ୍ତି ଅଭାବ ଅସୂୟା
ଅହରହ ଅବିଶ୍ରାନ୍ତ ମନେ ଭରା ନିର୍ଦ୍ଦୟ ସେ ମାୟା।
ସମୟ ତା ସୀମା ପାରେ କରେ ବାଧ୍ୟ, କରଇ ବିବଶ
ଚେତନାର ସଂକେତରେ କହିଯାଏ ଆଗେ ସର୍ବନାଶ।
ନିଜେ ଦାନ ଦେଇଥିବା ପ୍ରକୃତିକୁ ବିଷର ବଳୟ
ବିରତ ରହିବ ଏବେ ତାର ପ୍ରତିଦାନେ ରଖି ଲୟ।
ପୁଣି କଢିଟିଏ ହୋଇ ମୁଦି ହୋଇ ରହିବାର ବେଳ
ରଙ୍ଗ ଓ ସୁବାସ ନେଇ ଦେଖିବାକୁ ନୂତନ ସକାଳ।
ମୁଦିହୋଇ ରହ କଳି ବଦ୍ଧ ହୋଇ ରହ ସମ୍ବାଳୁଆ
ବଦ୍ଧ ଭାବେ ବଦଳିବ ସଂସ୍କରଣେ ତୋହରି ଦୁନିଆ।
ଫୁଲ ହୋଇ ଫୁଟିବାକୁ ପ୍ରଜାପତି ହୋଇ ଉଡିବାକୁ
ବଦ୍ଧ ବିଦ୍ଧ ବିବଶତା କଷ୍ଟତକ ହେବ ସହିବାକୁ।
ନୂଆ ରଙ୍ଗ ନୂଆ ରୂପ ନୂଆ ବାସ୍ନା ନୂତନ ଜଗତ
କେଇ କ୍ଷଣ ସଂଗରୋଧେ ଆତ୍ମଧ୍ୟାନେ ହୋଇବ ପ୍ରାପତ।
ଅଭିଶାପ ନୁହଁ ଇଏ ଏହା ପରା ପରମ ଆଶିଷ
କଷ୍ଟ ନଈ ପାରି ହେଲେ ଜୀବନଟା ପୁଣି ହସହସ।
