ପ୍ରିୟତମା
ପ୍ରିୟତମା
ଆଗୋ ପ୍ରିୟତମା ମୋ ହୃଦ ଗହଣା
ମୋ ଗୃହର ଦୀପ ମାଳା
ପ୍ରିୟ ସହଚରୀ ପ୍ରାଣ ହୁଏ ଘାରି
ମାନସେ କରୁଛ ଖେଳା ।
ପ୍ରୀତି ଉପହାରେ ସଜାଇ ଦେବି ଗୋ
ଆସ ମୋର ଅର୍ଦ୍ଧାଙ୍ଗିନୀ
ପ୍ରୀତିକର ହେଉ ଆମର ଜୀବନ
ତୁମେ ମୋ ପ୍ରିୟ ବାଦିନୀ ।
ନିବିଡ ବନ୍ଧନେ ବାନ୍ଧି ନିଅ ପ୍ରିୟା
ନିରବତା ଭଙ୍ଗ କର
ପ୍ରେମ ପ୍ରେକ୍ଷାଳୟେ ତୁମେ ମୋ ନାୟିକା
ମୁହିଁ ଯେ କିଙ୍କର ଛାର ।
ବେଦ ମନ୍ତ୍ର ପାଠେ ହୋମାଗ୍ନିର ସାଥେ
ସାକ୍ଷୀ କୋଟି ଦେବା ଦେବୀ
କୁଟୁମ୍ବ ସମ୍ମୁଖେ ହସ୍ତ ବନ୍ଧନରେ
ଦେଇଛି ମୋ ମନ ଚାବି ।
ତୁମ ନୟନର ଟୋପାଏ ଲୁହରେ
ପ୍ରକ୍ଷାଳିତ ମୋର ଆଖି
ତୁମ ବଦନରେ ଉଦାସ ଭାସିଲେ
ମୋ ମୁହଁ ଯାଏ ଲୋ ସୁଖି ।
ମୋ ଘରର ଲକ୍ଷ୍ମୀ ମୋ ଜୀବନ ରାଧା
ତୁମେ ମୋ ଅମୂଲ୍ୟ ମଣି
ତୁମ କଥା ଭାବି ରାତି ଦିନ ବିତେ
ପ୍ରିୟରେ ନିଅ ଗୋ ଗଣି ।
ମୁହଁକୁ ଫୁଲେଇ ଯେବେ ତୁମେ ବସ
ଆକାଶଟା ଲାଗେ ଭାରି
ସତେ କି ବର୍ଷିବ ବାଦଲ ଫାଟିକି
ଘନ ଘୋର ବର୍ଷା ବାରି ।
ଆଗୋ ସୁନୟନା ମୋର ପ୍ରିୟତମା
ତୁମ ପାଇଁ ଆଜି ଲେଖେ
ପ୍ରେମ ପତରରେ ସେନେହ ଅତରେ
ତୁମରି ଛବିକୁ ଦେଖେ ।