ପ୍ରିୟତମା
ପ୍ରିୟତମା
ଏତେଦିନ ପରେ ଦେଖିଲି ଝିଅଟେ
ରୂପ ଅକ ଗୁଣ ଭରା
ସତର ପୁରିକି ଅଠର ଛୁଉଁଛି
ଉଛୁଳେ ଯୌବନ ଧାରା ।
ଗୋଲାପୀ ଓଠରେ କହିଦେଲେ କଥା
ଚୋରି ହେଇଯାଏ ମନ
ଲାଗୁଥାଏ ସତେ ମୁହଁଟି ତାହାର
ପୂର୍ଣ୍ଣମୀ ରାତିର ଜହ୍ନ ।
ମଖମଲ ପରି ଚେହେରା ତାହାର
କିରଣେ ଝଲସୁ ଥାଏ
ଦେଖିଦେଲେ ତାକୁ ଜୀବନରେ ଥରେ
ଭୁଲିକି ପାରିବ କିଏ ?
ମୁରୁଗ ନୟନୀ ଚାହିଁଦେଇ ଯେବେ
ମୁରୁକି ମୁରୁକି ହସେ
ମରୁଭୂମି ସମ ହୃଦୟ ସାଗରେ
ପ୍ରେମର ଜୁଆର ଆସେ ।
କଳା ମଚମଚ କଜଳି କେଶକୁ
ନାଲି ବିନ୍ଦି ତାକୁ ମାନେ
ହଳଦୀ ବସନ୍ତ ଶାଢ଼ୀରେ ପ୍ରେୟସୀ
ହୃଦୟକୁ ମୋର ହାଣେ ।
ପତଳୀ ଅଣ୍ଟାକୁ ରାଜହଂସୀ ଚାଲି
ମୋହିନୀଏ ମନ ମୋର
କଥା କହୁଥାଏ ଲାଜେଇ ଲାଜେଇ
କଣ୍ଠ ତା କୋକିଳ ସ୍ୱର ।
ମାୟାବି ମୃଗୁଣୀ ତା ଚୋରା ଚାହାଣୀ
ପାଗଳ କରିଛି ମତେ
ଶୟନେ ସପନେ ପ୍ରେମ ପରାଗଣେ
ଭାବୁଛି ତା'କଥା କେତେ ।
ପ୍ରିୟା ପ୍ରିୟତମା ହୃଦ ରାଜଜେମା
ହୃଦୟ ବ୍ୟାକୁଳ ହୁଏ
ଭାବନା ତୁଳୀରେ ତାଆ ପ୍ରତିଛବି
ସ୍ବପ୍ନେ ସ୍ବପ୍ନେ ଆଙ୍କୁଥାଏ ।।

