ପ୍ରିୟତମା
ପ୍ରିୟତମା
ଅନେକ ନାମରେ ନାମିତ ନମିତା ମୋର
ସେ ମଧୁର ସମ୍ପର୍କର ସେନେହ ଡୋର
ସାକ୍ଷୀ ସେ ସୁଖ ଦୁଃଖର ଓ ଅସୀମିତ ପ୍ରେମର
ଫୁଲେଇ ଫଗୁଣ ପୁଣି ସେ କେବେ ରଙ୍ଗ ଇନ୍ଦ୍ରଧନୁର।।
ପ୍ରତିଟି ସ୍ପନ୍ଦନର ଆବେଗ ପୁଣି କେବେ ଶୀତଳ ଚନ୍ଦନ
ସ୍ୱପ୍ନର ଗହନତା ଭିତରେ ଏକ ଚଞ୍ଚଳ ପ୍ରେମିକା ସମାନ
ଲାଗେ ଅତୀତର ଅଲିଭା ପୃଷ୍ଠାଟେ ସାଇତି ରଖିବି ଚିରଦିନ
ତା ମୋ ଭିତରେ ଥିବା ଚୁପଚାପ୍ ସମ୍ପର୍କର ଏ ନିବିଡ଼ ବନ୍ଧନ।।
ନିଖୁଣ କାରିଗରୀରେ ଗଢା ସେ ନିରବ ଉପାସନା
ପହିଲି ବର୍ଷା ଭିଜା ମାଟିର ପୁଣି ଅଫୁରନ୍ତ ବାସ୍ନା
ମୋ ଅନ୍ଧାର ଆକାଶରେ ସେ ଉଜ୍ଜ୍ୱଳ ଶଶିର ଜ୍ୟୋତ୍ସ୍ନା
କଥାକୁହା କଣ୍ଢେଇଟା ମୋର କେବେ ଅଭିମାନିନୀ ପ୍ରିୟତମା।।
ନ ଥିଲେ ପାଖେ ମୋର ପ୍ରସୁନ ବିନା ଉଦ୍ୟାନ
ତା ଆଗମନେ ଖେଳେ ଭ୍ରମର ମନେ ପ୍ରୀତିର ଗୁଞ୍ଜନ
ଓଠରୁ ନିସୃତ ପ୍ରତ୍ୟେକ ଶବ୍ଦ ଯେମିତି କୋକିଳର ସ୍ଵନ
ପ୍ରିୟା ମୋର ଦକ୍ଷିଣର ଶୀତଳ ମୃଦୁ ମଳୟ ପବନ ।।
ଢଳଢଳ ନୀଳ ଆଖିରେ ତାର କଜ୍ଜଳର ଗାର
ପାଉଁଜି ପିନ୍ଧା ଗୋରା ପାଦେ ନାଲି ଅଳତାର ଧାର
ସତେକି ସୁଗନ୍ଧିତ ପାରିଜାତ ସେ ମୋ ଘର ଅଗଣାର
ଜୀବନ ଜଞ୍ଜାଳେ ସେ ସରଳ ସମାଧାନ ଅସୀମିତ ପ୍ରଶ୍ନର।।
ସେ କେବେ ଶୀତୁଆ ସକାଳର ଶୁଭ୍ର ଶିଶିର ବିନ୍ଦୁ
ଅସୀମ ପ୍ରେମର ପୁଣି ସେ ବିଶାଳ ସିନ୍ଧୁ
ନିଶବ୍ଦ ରାତ୍ରିର କଳିମାରେ ଝଟକେ ହୋଇ ପୂର୍ଣ୍ଣିମାର ଇନ୍ଦୁ
ହାତରେ ହାତଛନ୍ଦି ଚାଲୁଥିବା ଏକାନ୍ତ ସମୟର ଏକକ ବନ୍ଧୁ।।
କାନ୍ତିପ୍ରଭାଦେବୀ ଅନ୍ନପୂର୍ଣ୍ଣା ସେ ମୋ ଖନ୍ଦାଶାଳର
ପୁଣି କର୍ମଠ ବିନ୍ଧାଣୀଟିଏ ମୋ ଅସଜଡା ସଂସାରର
ବିନା ଅଟକି ଅବିରତ ଚାଲୁଥିବା କଣ୍ଟା ସେ ସମୟ ଚକର
ଲାଗେ ମାୟାବିନୀ ଯାଦୁକାରୀ ମୋ ଅନ୍ଧାରୀ ମୂଲକର।।
ମନ ମଇନାଟିଏ ସେ ପ୍ରେମତୂଳୀରେ ଅଙ୍କା ଜୀବନ୍ତ ମାନସୀ
ଆତ୍ମ ଉପନ୍ୟାସର ପୃଷ୍ଠାରେ ଲେଖା ପ୍ରତ୍ୟେକ ଶବ୍ଦର ପ୍ରେୟସୀ
ଅସ୍ତମିତ ସୂର୍ଯ୍ୟର ଲାଲିମା ଓଢ଼ଣୀତଳେ ବସିଥିବା ନିରୀହା ରୂପସୀ
ପାହାନ୍ତିଆର ଗଙ୍ଗଶିଉଳି ପୁଣି ନୀଳଆକାଶ ତଳେ ଆନମନା ଫୁଲ ଅଳସୀ।।