ପ୍ରିୟାର ଗାଁ
ପ୍ରିୟାର ଗାଁ
ନଈ ଏପାରିରେ ମୋ ଛୋଟ ଗାଁଟି
ନଈ ଆର ପାରେ ମୋ ପ୍ରିୟା ଗାଁ
ପ୍ରତି ପ୍ରଭାତରେ ତା' ଗାଆଁ ମନ୍ଦିରୁ
ଶୁଭେ ଶୁଭ ଶଙ୍ଖ ଆଳତୀ ଛୁଆଁ ।
ନଈ ଆରପାରି ମୋ ପ୍ରିୟା ଗାଁରେ
ସନ୍ଧ୍ୟାର ଆଳତୀ ନିଇତି ଶୁଭେ
ନଦୀ ପାଖ ଲାଗି ଛୋଟ ମନ୍ଦିରଟି
ମୋ ପ୍ରିୟା ସେଠାରେ ଆଶିଷ ମାଗେ ।
ନଈ ଆର ପାରେ ମୋ ପ୍ରିୟାର ଗାଁ
ସବୁଜ ବନାନୀ ଶୀତଳ ଛାୟା
କାନନ ଉହାଡ଼ୁ ସକାଳୁ ସକାଳୁ
ପକ୍ଷୀ ଉଡ଼ି ଆସେ ମୋହରି ଗାଁ ।
ଭାବେ ମୋ ପାଇଁ କି ଖବର ଆସିଛି
ହେଲେ ପକ୍ଷୀକୁଳ ଆହାର ଖୋଜେ
ଆହାର ସାଉଁଟି ସଞ୍ଜ ହୋଇଗଲେ
ମୋ ପ୍ରିୟା ଗାଁକୁ ଲେଉଟି ଯାଏ ।
ମୋ ପ୍ରିୟା ଗାଁର ଉଚ୍ଚ ପରବତ
ଝରଣାର ସେଇ ଝର୍ଝର ନାଦ
ଅପୂର୍ବ ତା' ଶୋଭା ଅତି ମନଲୋଭା
ମନୁ କାଢ଼ି ନିଏ ଯେତେ ବିଷାଦ ।
ମୋ ପ୍ରିୟା ଗାଁରେ ସଞ୍ଜ ନଇଁ ଆସେ
ଶୋଭା ସରଗକୁ ଆହ୍ଵାନ କରି
ତୁଳସୀ ମୂଳରେ ସଞ୍ଜବତୀ ଜାଳେ
ମୋ ମନରେ ଭକତି ଭରି ।
ମୋ ପ୍ରିୟା ଗାଁର ଚାଳ ଘରେ ମିଳେ
ଶୀତଳତା ଆଉ ମନରେ ଶାନ୍ତି
ମାଟି କାନ୍ଥେ ତା'ର ଝୋଟି ଚିତା ସାଜେ
ମନେ ଭରିଦିଏ ଅପୂର୍ବ କାନ୍ତି ।
ନଈ ଏ ପାରିରେ ନାଆ ଟିଏ ବନ୍ଧା
ସେ ପାରିରେ ବନ୍ଧା ଅନ୍ୟ ନାଆଟି
ନାଆ କହିଦିଏ ପାରି ହେବା ଗାଥା
ଏପାରି ସେପାରି ତତ୍ତ୍ଵ କଥାଟି ।