ଧର୍ମ ନାମେ କିଆଁ ବୋହୁଛି ରକ୍ତ
ଧର୍ମ ନାମେ କିଆଁ ବୋହୁଛି ରକ୍ତ


ହିନ୍ଦୁ, ମୁସଲିମ, ଜୈନ, ବୌଦ୍ଧ, ଖ୍ରୀଷ୍ଟିଆନ୍
କେତେ ଧରମ ଏ ଭାରତ ବର୍ଷରେ
ହିନ୍ଦୀ ଭାଷା କହି ଶିଖିନି, ମାତୃଭାଷା ଓଡ଼ିଆ
ଅଟେ, ମୋ ଭାବନା ଆସେ ଓଡିଆରେ ।
କହେ ମୋ ଆଦର୍ଶ ରାମ, କୃଷ୍ଣ ବିବେକାନନ୍ଦ,
ଶିବାଜୀ, ସେଥିପାଇଁ ମୁଁ ଗରବ କରେ,
କରେ ଦେଶ ପ୍ରୀତି, ଆଇନ ସେବା କର୍ମ ମୋର,
ମନ ଦେଶକୁ କିପରି ଗଢି ତୋଳିବାରେ ।
ହେବି ସଦାଚାରୀ, ଜୀବନେ ବ୍ରତ ମୋର, ଦେଶକୁ
ଗଢିବି, ହୃଦୟରେ ଭାରତ ମୋର ମାଆ
ବୁଝି ପାରୁନି, ସେହି ମାଟିରେ, ମୁଁ ମୂଲ୍ୟହୀନ, କଅଣ
ହୋଇ ପାରିଲିନି ବୋଲି ମିଛୁଆ ଓ ନାଟୁଆ ।
ବୁଝିଥିଲି ସମ୍ବିଧାନ ପଢି, ଏ ଦେଶର ଆକାଶ ପବନେ
ଧର୍ମ ନିରପେକ୍ଷତା ଆଦର୍ଶ ଜୀବନର ଧାରା
ମନରେ ସର୍ବଦା ନାଚୁଛି, ସେଦିନ ରାତିରେ, ଧର୍ମ ନା
ମରେ,
ଦଙ୍ଗା ହୋଇ କିଆଁ ବହିଗଲା ରକ୍ତର ଧାରା ।
ସମ୍ବିଧାନରେ, ନାହିଁ ସାନ ବଡ, ଉଚ୍ଚ ନୀଚ଼, ନାହିଁ ପରା
ଧରମ ଧରମ ଭିତରେ ବିଭେଦର ବିଚାର
ସେନେହ ମମତା ଭାବ ଯଦି ପ୍ରତ୍ୟେକ ଭାରତୀୟ ହୃଦୟେ,
ସାମ୍ପ୍ରଦାୟିକ ଶକ୍ତି କିପରି ବଢୁଛି, ଅଛିକି ଉତ୍ତର ।
ମନ୍ଦିର ମସଜିଦ ଅବା ଗୀର୍ଜାକୁ ଗଲେ, ବୋଲାଇଲେ
ଧାର୍ମିକ, କପାଳେ ଚନ୍ଦନ ସିନ୍ଦୂର ମାରି
ନ୍ୟାୟ, ସତ୍ୟ, ମର୍ଯ୍ୟାଦା, ଶୃଙ୍ଖଳା, ନୀତି ଆଦର୍ଶର
ଅସ୍ତ୍ର ପରା ମଣିଷ ରହିବ ଧରି ।
ତେବେ କାହିଁକି କୁହ ଅନ୍ୟାୟ, ଶୋଷଣ, ଦୁର୍ନୀତି, କୁସଂସ୍କାର,
ଭେଦ ଭାବ ଅପସଂସ୍କୃତିର ନହୁଏ ଅପସାରଣ
ହିଂସା, ଅନୀତି, ନାରୀ ନିର୍ଯ୍ୟାତନା କରନ୍ତି ମନ୍ଦିର ପୂଜକ,ମଠ
ମହନ୍ତ, ଧର୍ମଯାଜକ ଭାଷଣରେ ଅହିଂସାର କରି ଜୟଗାନ ।