ପ୍ରିୟା ମୋର ମରୀଚିକା
ପ୍ରିୟା ମୋର ମରୀଚିକା
ମରୁ ପଥରେ ପଥିକଟିଏ ମୁଁ
ପ୍ରିୟା ମୋର ମରୀଚିକା,
ପ୍ରେମ ଭିକ୍ଷା କରି ବିବସ ହେଲିଣି
ତନୁରେ ଆସିଲାଣି ହେକା ।
ଶୂନ୍ୟ କୋଠରୀରେ ଖୋଜୁଛି ଆଲୋକ
ଅନ୍ଧାର ଚାଦର ତଳେ,
ଆଶା ମନେ ନେଇ ଧାଇଁ ଯାଏ ମୁଁହି
ଛୁଇଁବାକୁ ସପନ କୂଳେ ।
ମନ ତା'ର ସତେ ଶୁଷ୍କ ଉତ୍ସକୂପ
କରେ ମିଥ୍ୟା ବଚନର ପ୍ରକଟ,
ମୁଁ କ୍ଷୀଣସ୍ପନ୍ଦନ ହୋଇ ଅଥୟ
ଅନ୍ଧାରୀ ମରୁରେ ଚାଲୁଛି ବାଟ ।
ମରୁଭୂମିର ସେ ତପ୍ତ ସୂର୍ଯ୍ୟ ପ୍ରାୟ
ବିଛାଇଛି ମିଥ୍ୟା କିରଣ,
ତତଲା ମରୁରେ କରି ଯେ ସନ୍ଧାନ
ତନୁ ମୋର ଜୀର୍ଣ୍ଣଶୀର୍ଣ୍ଣ ।
ମରୁ ବାଲି ପଥେ ମୁଁ ଯେ ଏକାନ୍ତ
ତୃଷ୍ଣା ବଳେ ହୁଏ ହନ୍ତସନ୍ତ,
ଅନ୍ଧାରରେ ଆଜି ଖୋଜେ ମୁଁ ଆଲୋକ
ଭୁଲି ମୁଁ ପାରୁନି ତୁମ ଚିତ୍ର ପଟ୍ଟ ।
ଅଳସ ମହ ମହ ଜୀବନ୍ତ ଜୀବନରୁ
ଅଜାଡିଥିଲା ସେ ପ୍ରେମ,
ଭାଙ୍ଗି ଦେଇ ସବୁ ସ୍ବପ୍ନ
ହଜେଇଲା ମରୀଚିକାର ମିଛ ପ୍ରେମ ।
ଅନନ୍ତର ସହସ୍ର ଫଣାରେ
ସତ୍ତାହୀନ ଅଦୃଶ୍ୟ ନିୟତି,
ଟାଣି ଯବନିକା ହସୁଛି ମରୀଚିକା
ବିଞ୍ଚି ମାୟା ଭାବ ପୀରତି ।।

