STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ପରିସୀମା

ପରିସୀମା

1 min
152


କହୁଥିବା କଥା

ଲାଗଇ ସୁନ୍ଦର

ପରିସୀମା ମଧ୍ୟେ ଥିଲେ।  

ସୀମା ଟପିଗଲେ

ତାହା କୁବଚନ

ସହି ହୁଏନାହିଁ ଭଲେ।  

ବହୁଥିବା ନଦୀ

ଦିଶଇ ସୁନ୍ଦର

ରହିଲେ ସୀମା ଭିତରେ। 

ସୀମା ଟପିଗଲେ

ନଈବଢି ହୁଏ

ଧ୍ଵଂସ ଲୀଳା ସୃଷ୍ଟି କରେ। 

ଗାଉଥିବା ଗୀତ

ଶୁଭଇ ସୁନ୍ଦର

ମାନିଲେ ତାଳ ର ସୀମା। 

ସୀମା ଟପିଗଲେ

ବେସୁରା ଲାଗଇ

ଭଲ ଲାଗେନାହିଁ ଜମା। 

ନୀଳ ବୀଚିମାଳା

ଦିଶଇ ସୁନ୍ଦର

ସୀମା ମଧ୍ୟେ ଥିଲେ ସିନ୍ଧୁ। 

ସୀମା ଟପିଗଲେ

ରଚଇ ପ୍ରଳୟ

ଦିନ ଯାଏ କାନ୍ଦୁ କାନ୍ଦୁ। 

ଦେହକୁ ପବନ

ଲାଗେ ସୁଶୀତଳ

ବହିଲେ ସୀମା ଭିତରେ। 

ସୀମା ଟପିଗଲେ

ବତାସ ହୁଅଇ

ଧ୍ଵଂସ ର ତାଣ୍ଡବ କରେ। 

ମାନବିକତା ର

ପରିସୀମା ମଧ୍ୟେ

ସୁନ୍ଦର ଲାଗେ ମଣିଷ। 

ତାର ବ୍ୟବହାର

ଆଚାର ବିଚାର

ମନକୁ କରେ ପରଶ। 

ମାନବିକତା ର

ସୀମାର ବାହାରେ

ମଣିଷ ଥାପିଲେ ପାଦ। 

ହିଂସା, ଦ୍ଵେଷ, ଆଉ

ଧର୍ମାନ୍ଧତା ସହ

ଆସେ ବିଚ୍ଛିନତାବାଦ। 

ପରିସୀମା ଅଟେ

ସଂଯମ, ଶୃଙ୍ଖଳା,

ଆଉ ଲଖ୍ମଣର ରେଖା। 

ସେ ଗାର ଡେଇଁଲେ

ବିଶ୍ବ ସନ୍ତୁଳନ

ହୋଇ ପାରେନାହିଁ ରକ୍ଷା। 

ସ୍ରଷ୍ଟାଙ୍କ ସୃଷ୍ଟିରେ

ପ୍ରକୃତି ମାନୁଛି

ଯଦି ତାର ପରିସୀମା। 

ପ୍ରକୃତି ସନ୍ତାନ

ମଣିଷ କାହିଁକି

ଲଙ୍ଘିଯାଏ ନିଜ ସୀମା?

ଝଡ,ଉଚ୍ଚ ତାପ

ରୂପରେ ପ୍ରକୃତି

ଦେଉଅଛି ଚେତାବନୀ। 

ସଂଯତ ହୁଅ

ହେ ମଣିଷ ସମାଜ!

ଆଗକୁ ଆଉ ବଢନି। 

ଅଛିଟି ସମୟ

ଏବେ ଜଗି ଚଳ

ଆପଣାର ପରିସୀମା। 

ନହେଲେ ବିନାଶ ପାଇଁ

ତୁମେ ଦାୟୀ

ମୋର ଦୋଷ ନାହିଁ ଜମା। 

ମୋର ଦୋଷ ନାହିଁ ଜମା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational