ପ୍ରୀତିର ପସରା
ପ୍ରୀତିର ପସରା
ପ୍ରୀତିର ପସରା ଦୁନିଆ ଟି ସାରା
ସ୍ନେହ ପ୍ରେମେ ସବୁ ଛନ୍ଦା,
ପୃଥିବୀ ଘୁରୁଛି ସୂର୍ଯ୍ୟ ଚାରିପଟେ
ଆକର୍ଷଣେ ହୋଇ ବନ୍ଧା l
ସୂର୍ଯ୍ୟ ଉଇଁଲେ ପଦୁଅଁ ଫୁଟଇ
ଚନ୍ଦ୍ର ଉଇଁଲାରୁ କଇଁ,.
ଅଦୃଶ୍ୟ ତାଙ୍କର ପ୍ରେମର ସମ୍ପର୍କ
କେହି ବୁଝି ନପାରଇ l
ଆକାଶ ଧରଣୀ ଦୁହେଁ ଦୁହିଁଙ୍କୁ
ରହିଥାନ୍ତି ସଦା ଚାହିଁ,
ମଥା ପରେ ତାର ଛାତ ପ୍ରାୟ ରହି
ସୁରକ୍ଷା ତାକୁ ଦିଅଇ l
ଦିନରେଆକାଶ ସୂର୍ଯ୍ୟାଲୋକ ଦିଏ
ରାତିରେ ଢାଳେ ଜୋଛନା,
ଦୂର ଦିଗବଳୟେ ଦୁହିଁଙ୍କ ମିଳନ
ଲାଗଇ ଅପୂର୍ବ ସିନା l
ବର୍ଷା ଋତୁରେ ବର୍ଷା ଜଳ ଦେଇ
ଶୀତଳ କରଇ ମହୀ,
ମାଟି ତଳୁ ବୀଜ ଅଙ୍କୁରିତ ହୁଏ
ବରଷା ର ଛୁଆଁ ପାଇ l
ପ୍ରକୃତି ରଖିଛି କେତେ ଫୁଲ ଫଳ
ସଜାଇ ଆମରି ପାଇଁ,
କେଉଁଠି ଝରଣା ବଣ ଓ ପାହାଡ଼
ମନକୁ ନେଉଛି ମୋହି l
ପ୍ରୀତିର ପସରା ସାଜିଛି ଧରଣୀ
ଆମରି ମାନଙ୍କ ପାଇଁ,
ସ୍ନେହ ଓ ପ୍ରେମରେ ପାଳୁଛି ଆମକୁ
ଆବଶ୍ୟକ ସବୁ ଦେଇ l
ସମାଜ ହେଉ କିପରିବାର ହେଉ
ସବୁଠି ସେନେହ ଭରା,
ପିତା ମାତା ଭାଇ ଭଉଣୀ ସମ୍ପର୍କ
ମହନୀୟ କେତେ ସାରା l
ଆବିଳତା ହୀନ ପ୍ରେମର ସମ୍ପର୍କ
ଅଟେ ବଡ଼ ମହୀୟାନ,
ଶାଶ୍ୱତ ପ୍ରେମ ରେ ବାନ୍ଧିଲେ ସଭିଙ୍କୁ
ପ୍ରେମଟି ହୁଅଇ ଧନ୍ୟ l
ହୃଦୟକୁ କରପ୍ରୀତିର ପସରା
ପ୍ରେମ ଓ ମାଧୁର୍ଯ୍ୟ ରଖି,
ମଧୁର ବଚନେ ସଭିଙ୍କ ମନକୁ
ପାରିବ ସ୍ନେହରେ ମାଖି ll
