ପ୍ରୀତି
ପ୍ରୀତି
ତୋଳିବାକୁ ଯାଇ ପ୍ରୀତିର ପଙ୍କଜ
ପଦ୍ମ ବନେ ମୁଁ ଆପଣାର ପାଦ ଥାପିଛି
ସଦା ବିଷାକ୍ତ ସର୍ପର ଦଂଶନ ସହୁଛି
ଗରଳ ଜ୍ୱାଳାରେ ଦେହ ମୋର ଜଳୁଛି
ଅସ୍ଥି ମଜ୍ଜା ରକ୍ତ ଶ୍ବାସ କମ୍ପି ଉଠୁଛି
ତଥାପି ପ୍ରୀତିର ଆଶାରେ ଜୀଇଁଛି!!
ଅମାନିଆ ମନଟା ବୋଲ ମାନୁ ନାହିଁ
ଯେତେ କହିଲେ ବୋଇଲେ କି ବୁଝୁଛି?
ଜୀବନେ ଜୀଇଁବାକୁ ପ୍ରୀତି କାଳେ
ତାହାର ଏକାନ୍ତ ଏକମାତ୍ର କାମ୍ୟ
ବୋଲି ଝିଙ୍ଗାସ ବଚନେ କହୁଛି
କିଂକର୍ତ୍ତବ୍ଯବିମୁଢେ ମୁଁ ଦୋଳି ଖେଳୁଛି!!
ଖିଆଲି ମନ ମୋର ଶାନ୍ତ୍ୱନା ଦେଇ
କାନରେ ଗୁପତ ମନ୍ତ୍ରଣା ଦେଉଛି
ହୃଦୟେ ବିଶ୍ବାସ ଜାଗି ଉଠୁଛି
ନିଶ୍ଚୟ ତୋଳିବ ପ୍ରୀତିର ପଙ୍କଜ
ସହି ସର୍ପର ଦଂଶନ ପ୍ରତିଥର
ବାରମ୍ବାର ଶତ ସହସ୍ର ବାର!!
ହସ୍ତେ ଧରି ମୁହିଁ ପଦ୍ମ ତୋଳା
ପ୍ରବେଶିବା ପାଇଁ ପଦ୍ମବନେ
ଯେତେ ବି କରିଲେ ଉଦ୍ୟମ
ସବୁ ତ ଅକାରଣେ ବୃଥା ଯାଉଛି
ଅସଂଖ୍ୟ ପ୍ରତିରୋଧର ସାମ୍ନାରେ
ଆଶା ମୋର ଝାଉଁଳି ପଡୁଛି!!
ମନ ତ ମନ ସେ କି ବୁଝୁଛି
ନା କିଛି ବୁଝିବା ପାଇଁକି ଚାହୁଁଛି?
ପ୍ରୀତି ତ ବିରଳ ଏଇ ଦୁନିଆଁରେ
ସଭିଏଁ ନୁହଁନ୍ତି ତା'ରେ ଭାଗୀଦାର
କାହିଁକି କରିବି ଆସ୍ଫାଳନ ଅଯଥାରେ
ଲେଖା ନାହିଁ ଯେବେ ମୋହର ଭାଗ୍ୟରେ??