ପ୍ରୀତି ରାଜଜେମା
ପ୍ରୀତି ରାଜଜେମା
ପ୍ରଣୟିନୀ ନୁହଁ,ତୁମେ ମୋ' ଜୀବନ
ବାଲିଘର ରାଜଜେମା,
ବର୍ତ୍ତୁଳ ବର୍ତ୍ତୁଳ ବିରଳ ବିରଳ
ପ୍ରେମ ପରୀ, ଅନୁପମା ।
ପ୍ରଣୟ ପୁରୁଷ ନୁହେଁ ମୁଁ ତୁମରି
ତୁମେ ପ୍ରଣୟ ବଲ୍ଲରୀ,
ଶ୍ରଦ୍ଧାର ସ୍ୱୀକୃତି ସୁମନା ସୁପ୍ରୀତି
ଋତୁରାଣୀ ରାଜେଶ୍ୱରୀ ।
ନାଲି ଟୁକୁ ଟୁକୁ ସାଧବ ବୋହୂ ବି
ଦୂରରୁ କଣେଇ ଚାହେଁ ,
ତୁମ ସୌନ୍ଦର୍ଯ୍ୟର ସିକ୍ତ ସୁରଭିରେ
ଆପେ ଅପସରି ଯାଏ ।
ଚାଲି ଯାଉଥିଲେ ଅଗଣାଟି ସାରା
ତୁଳସୀ ତୁଳସୀ ବାସେ,
ହସରେ ତୁମରି ତାରାଫୁଲ ଝରି
ଅରୁଣିମା ରଙ୍ଗେ ହସେ ।
କାଚକେନ୍ଦୁ ଭଳି ନିର୍ମଳ ହୃଦୟ
ଅର୍କ କର୍ପୂର କାମନା ,
ସ୍ନିଗ୍ଧ ସନ୍ଧ୍ୟାରାଗ ଅଂଶୁ ଅନୁରାଗ
ସୂକ୍ଷ୍ମ ତୁମରି ବାସନା ।
ତାରା ଫୁଲ ପରି ଟିକି ଟିକି ଆଖି
କଇଁ ଫୁଲର ପାପୁଲି ,
ଚାନ୍ଦିନୀ ଚାନ୍ଦିନୀ ଅଙ୍ଗର ରଙ୍ଗ ଗୋ
ଚାନ୍ଦ ବି ଯାଏ ଚହଲି ।
ମନ ମନ୍ଦାକିନୀ ଲାବଣ୍ୟ ତଟିନୀ
ତୁମ ସାଇତା ସରମ ,
ଲାଜରେ ଲାଜେଇ ଝାଉଁଳି ଯାଏ ଗୋ
ଲାଜକୁଳୀ ଅନୁପମ ।
ଅତୀତ ପୃଷ୍ଠା ମୋ' ନିର୍ବାଣ ଧ୍ୱନିର
ନିର୍ବାକ୍ ପୃଷ୍ଠପୋଷକ,
ବର୍ତ୍ତମାନ ମୋର ତୁମରି ସାନ୍ନିଧ୍ୟେ
ଅମାବାସ୍ୟାରେ ଆଲୋକ ।
ସ୍ମୃତି ସଂଭ୍ରମର ପରାଗ ପୁଙ୍ଗବ
ସଂକୋଚେ ଶିହରି ଉଠେ,
ତୁମରି ସ୍ମୃତିରେ ତୁମ ସଂସ୍କୃତିରେ
ପୁଣ୍ୟର ପଦ୍ମିନୀ ଫୁଟେ ।
ପଦ୍ମଗନ୍ଧା ଅଗୋ ପୀତ ବସନରେ
ବାସ୍ନା ସୋରିଷ ଫୁଲର,
ମୃଦୁ ମୃଦୁ ହୋଇ କଣେଇ କଣେଇ
ଚାଲିଯାଏ ବହୁଦୂର ।
ସୂର୍ଯ୍ୟମୁଖୀ ତୁମେ ସୌର ସୁରଭିରେ
ସୁରଭିତା ଦିବ୍ୟାଙ୍ଗନା ,
ଧୀରା ଧୈର୍ଯ୍ୟଶୀଳା ସିକ୍ତ ଶୌର୍ଯ୍ୟଶୀଳା
ସୁଚରିତା ସୁନୟନା ।
ଓଡିଶା ମାଟିର ଗୌରବ ପ୍ରତୀକ
ଅଗୋ ବାଲ୍ୟ ରାଜଜେମା ,
ବର୍ଣ୍ଣିବି କେମିତି କଳ୍ପିବି କେମିତି
ଭାଷା ପାଉନାହିଁ ଜମା ।