ପ୍ରୀତି ଗୀତ ଯାଏ ଗାଇ
ପ୍ରୀତି ଗୀତ ଯାଏ ଗାଇ
ମୌସୁମୀ ପରଶେ ଧରିତ୍ରୀ ବକ୍ଷରେ ସବୁଜ ବର୍ଣ୍ଣାଳୀ ଚିତ୍ର
ଆକାଶରୁ ମାଟି ଜଳଠାରୁ ସ୍ଥଳ ଚତୁର୍ଦ୍ଦିଗ ସୁଶୋଭିତ ।
ନୀଳାକାଶ ଦେହେ ଶୁଭ୍ର ମେଘମାଳା ଖେଳୁଥିଲା ଆନନ୍ଦରେ
କିଏ ସେ କେଜାଣି ଇନ୍ଦ୍ରଧନୁଟିଏ ଆଙ୍କିଦେଲା ଅଦୃଶ୍ୟରେ ।।
ବାଇଗଣୀ,ନୀଳ,ଘନନୀଳ ସାଥେ ସବୁଜ,ନାରଙ୍ଗୀ,ଲାଲ୍
ହଳଦିଆ ରଙ୍ଗ ଯତନେ ଢାଳିଛି ଯାଦୁଗରୀ କଳା ତୁଲ୍ୟ ।
ରଙ୍ଗ ପରେ ରଙ୍ଗ ସାତଟି ରଙ୍ଗରେ ସଜାଇଛି ତା'ର ତନୁ
ଆକାଶ କୋଳରୁ ପର୍ବତ ଶିଖରୀ ଛୁଇଁଯାଏ ଇନ୍ଦ୍ରଧନୁ ।।
ବୁଣିଦେଉଅଛି ରଙ୍ଗର ମୁରୁଜ ବସୁଧାକୁ ଛୁଇଁ ଛୁଇଁ
ସଭିଙ୍କର ମନ ମୋହିତ କରୁଛି ଅନୁପମ ରୂପ ପାଇଁ ।
ରଙ୍ଗ ବିନା ପ୍ରୀତି ,ପ୍ରୀତି ବିନା ଏଇ ଜୀବନର ମାନେ ନାହିଁ
ରଙ୍ଗ ସମ୍ଭାରରେ ଇନ୍ଦ୍ରଧନୁ ହସି ପ୍ରୀତି ଗୀତ ଯାଏ ଗାଇ ।।
ହୃଦୟ ,ପରାଣ ରଙ୍ଗୀନ ରଙ୍ଗୀନ ପ୍ରୀତିର ଆଭାସ ଦେଇ
କ୍ଷଣକାଳ ପାଇଁ ଚମକ ବିଛାଇ ହଜିଯିବ ଜାଣେ ନାହିଁ ।।