ପ୍ରୀତି ବନ୍ଧନ
ପ୍ରୀତି ବନ୍ଧନ
ପ୍ରୀତି ବନ୍ଧନର ମଲ୍ଲି ଫୁଲଟିଏ
ମହକେ ମହକି ଯାଏ ସୁବାସେ
ଗୋଲାପ ଫୁଲର ଦେଖାଣିଆ ଭାବ
ସୁଗନ୍ଧ ବଦଳେ କଣ୍ଟା ପରଶେ ।
ବହଳ ପ୍ରେମରେ ବୁଡ଼େଇ ରଖିଲେ
ଜୀଵନ କଷ୍ଟ କି ଦୂରେଇ ଯାଏ
ନିଃସ୍ୱାର୍ଥ ଭାବନା ସେ , ପ୍ରେମେ ନଥିଲେ
ମାୟାରେ ମଣିଷ ଭ୍ରମିତ ହୁଏ।
ପ୍ରୀତିର ଡୋରକୁ ବାନ୍ଧି ରଖିବାକୁ
ନିଷ୍କାମ ହୃଦୟ ପଡ଼ଇ ଲୋଡ଼ା ,
ତେବେ ଯାଇ ପ୍ରେମ ପ୍ରୀତିରେ ଡୋରୀରେ
ବନ୍ଧନର ସୂତା ହୁଅଇ ଯୋଡ଼ା ।
ସ୍ନେହ ଶ୍ରଦ୍ଧା ପଣ ଜୀବନରେ ଥିଲେ
ମଧୁର ସ୍ମୃତିରେ ବିତଇ ରାତି
ସ୍ବାର୍ଥ ରହିଗଲେ ସେ ,ଶ୍ରଦ୍ଧା ପଣରେ
କୋହ ମୋହ ହୋଇ ଫାଟଇ ଛାତି ।
ଅନୁରାଗ ହୀନ ଜୀବନର ପ୍ରେମ
ସେ ପ୍ରେମେ ନଥାଏ ଟିକିଏ ପ୍ରୀତି,
ମୃଗତୃଷ୍ଣା ସମ ଯେତେ ଧାଇଁଲେ ବି
ସେ ଶ୍ରଦ୍ଧା ପଣରେ ଲାଗଇ ଭିତି।
ମନର ଅକୁହା ଅବସାଦ କଥା
ନିରବ ମନରେ ଭାଷା ଖୋଜଇ
ପ୍ରେମ ପରିଭାଷା ଖୋଜେ ହୃଦ ଭାଷା
ଆବେଗ ହୃଦୟେ ବନ୍ଧା ପଡ଼ଇ।
ପିତାମାତା ଆଉ ଆତ୍ମୀୟ ସ୍ଵଜନ
ନିଜ ପରିବାର ବନ୍ଧନ ପ୍ରେମ
ଶ୍ରଦ୍ଧା ମିଳୁ ଅବା ବିନା ଶରଧାରେ
ସୁବାସ ଖୋଜଇ ଏଇ ଜୀବନ ।
ମଲ୍ଲୀର ସୁବାସ ଗୋଲାପର ବାସ
ସ୍ରଷ୍ଟାଙ୍କ ସୃଷ୍ଟିର ଅଭିନ୍ନ ରୂପେ
କିଏ କେଉଁ ବାସେ ହୃଦୟର ପାଶେ
ଛାଡିଯାଏ ଚିହ୍ନ ନିଜ ସ୍ୱରୂପେ ।
ଲୋକ ଦେଖାଣିଆ ଭାବ ନଦେଖେଇ
ସତ୍ କର୍ମ ପଥେ ଗମନ କଲେ
ଫୁଲ ଠାରୁ ମଧ୍ଯ ଅଧିକ ସୁବାସ
ନିଶ୍ଚିତ ମିଳିବ ମହୀରୁ ଗଲେ ।
