STORYMIRROR

NIBEDITA MOHAPATRA

Tragedy

3  

NIBEDITA MOHAPATRA

Tragedy

ପରୀର ବେଦନା

ପରୀର ବେଦନା

1 min
276


ଆସିଥିଲା ପରୀଟିଏ ସରଗରୁ ଓହ୍ଲାଇ

ଫୁଟିଥିଲା ଅଗଣାରେ କୋମଳ କଳି ହୋଇ

ଘୁରି ବୁଲୁଥିଲା ଆନନ୍ଦେ କେତେ ଗୀତ ଗାଇ

ପାଳୁଥିଲେ ପିତାମାତା ସ୍ନେହ ମମତା ଦେଇ॥(୧)

ମନଜିଣା ଥିଲା ସତେ ତା' ଖିଲିଖିଲି ହସ

ଦୂରିଭୂତ କରୁଥିଲା ମନର ଅବଶୋଷ

ଶୀତଳ ଜୋଛନା ପରି ଥିଲା ତା' ଶୁଭ୍ରବେଶ

ଦୋରଟି କଥାରେ ସଭିଙ୍କୁ କରିଥିଲା ବଶ॥(୨)

ଛନ୍ଦ କପଟ ହିଂସାଦ୍ବେଷ ଠାରୁ ହୋଇ ଦୂର

ନିଷ୍କପଟତା ଭରି ଥିଲା ହୃଦୟେ ତାହାର

ମନେ ଭରିଦେଇ ସବୁରି ପ୍ରୀତିର ଫୁଅାର

ଆତ୍ମୀୟତାରେ କରିଥିଲା ସଭିଙ୍କୁ ନିଜର॥(୩)

କିଏ ଜାଣିଥିଲା ଏମିତି ସମୟ ଆସିବ 

ଅଦିନରେ ଜୀବନେ ଭୟ ସଞ୍ଚରିତ ହେବ

ଅମାବାସ୍ୟା ଅନ୍ଧାରେ ଦିନ କବଳିତ ହେବ

ରଜନୀରେ ଶଙ୍କାକୁଳ ଅନଳ ବରଷିବ॥(୪)

ଭେଦକରି ପରିବାର ସୁରକ୍ଷା ବଳୟକୁ

ଆସିଗଲା ସୌଦାଗର ଧରି ଛଦ୍ମବେଶକୁ

ହଜାଇ ଦେଇ ନିଜର ବିବେକ ପଣିଆକୁ

କରିଦେଲା ଚୁନା ପରୀର ସୁନେଲି ସ୍ବପ୍ନକୁ॥(୫)

ଚରିତାର୍ଥ କରିବା ପାଇଁ ବାସନା ମନର

ଡେଇଁଗଲା ସେ ସୀମା ସରହଦ କ୍ରୁରତାର

ଶରୀରକୁ ଖିନଭିନ୍ କରିଦେଇ ତାହାର

ଶୀତଳ କରିଲା କାମନା ଜ୍ବାଳାକୁ ନିଜର॥(୬)

ଜୀବନ ଧାରା କଳଙ୍କିତ ହୋଇଲା ପରୀର

ଲିଭିଗଲା ଓଠରୁ ତା ସୁନେଲି ହସ ଧାର

ଅଜଣା ଝଡ ଆସି ଭାଙ୍ଗିଦେଲା ତା' ଆଗାର

ଅସୁରକ୍ଷିତ ହୋଇଗଲା ଭବିଷ୍ୟତ ତାହାର॥(୭)

ପରମେଶ୍ବରଙ୍କୁ ପରୀ କରେ ଆଜି ମିନତି

ଏ ପାପୀ ସଂସାରରୁ ମତେ ଦିଅ ହେ ମୁକତି

ଆସିଥିଲି ବାଣ୍ଟିବାକୁ ଶାନ୍ତି,ଶ୍ରଦ୍ଧା ଓ ପ୍ରୀତି

ଅମାନବିକତା ପାଖେ ସବୁ ହୋଇଲା ଇତି॥(୮) 

ଇଚ୍ଛା ଥିଲା ମା' ହୋଇ କରିବି ସୃଷ୍ଟି ସର୍ଜନା

ଦେହରୁ ନିଗାଡି ରକତ କରିବି ପାଳନା

ତୁଚ୍ଛ ହେଲା ତ୍ୟାଗ ବଢିଲା ଦେହର ବାସନା

କାମାତୁର ଜଗତ ମତେ ଦେଲା ତ ଯାତନା॥(୯)

ଉପଭୋଗ୍ୟବସ୍ତୁ ବୋଲି ଭାବୁଛି ମତେ ନର

ସର୍ବ ସମ୍ମୁଖେ ନିଲାମ ହୁଏ ଇଜ୍ଜତ ମୋର

ସ୍ପଷ୍ଟ ଦିବାଲୋକେ ଚାଲିଛି ନାରୀ ଅତ୍ୟାଚାର

ଚକ୍ଷୁଷ୍ମାନ୍ ସାଜି ଦେଖନ୍ତି ସବୁ ଧର୍ମବୀର॥(୧୦)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy