ପରିଦୃଶ୍ୟରେ ଜୀବନ
ପରିଦୃଶ୍ୟରେ ଜୀବନ
ଆମେ ଯେମିତି ଭାବୁ ସେମିତି
ନିଜକୁ ଗଢୁ, ଜୀବନକୁ ବାଜିରେ
ଲଗାଇ ଭାବନାକୁ ରୂପ ଦେଉ।
ଚାରିପାଖରେ ଯାହା ଦେଖୁ ତାକୁ
ପାଇବାର ଦୁର୍ବାର ଅଭିଳାଷ ରଖି
ସ୍ୱପ୍ନ ବୁଣି ଜୀବନକୁ ସଜାଉ।
ଆଧୁନିକ ଚଳଣି ବାଛିଥିବା ମଣିଷ
ସମୟ ସୁଅରେ ଭାସୁଛି ଯନ୍ତ୍ରବତ
ବାଛି ନେଇଛି ବ୍ୟସ୍ତମୟ, ଜରାଗ୍ରସ୍ତ
ଜୀବନ। ଅଣନିଃଶ୍ୱାସୀ ହୋଇ ଧାଉଁଛି
ବ୍ୟାଙ୍କ ବାଲାନ୍ସ, ଦାମୀ ଗାଡିମୋଟର,
କ୍ଷଣସ୍ଥାୟୀ ବିଳାସପୂର୍ଣ୍ଣ ବସ୍ତୁ ପଛରେ।
ରାତାରାତି ବାଦସାହା ବନିଯିବାକୁ।
ଜୀବନକୁ ବାଜିରେ ଲଗାଇ କେତେ
ହାରୁଛି, କେତେ ଲହୁଲୁହାଣ ହେଉଛି
କେହି ହିସାବ ରଖେନି ପାଖରେ !
ଭାବନାକୁ ରୂପ ଦେବାରେ ଅସଫଳ
ହେଲେ ବିଷାଦ ଯନ୍ତ୍ରଣାରେ ହୁଏ
ଜର୍ଜରିତ, ସଫଳତା,ବିଫଳତାକୁ
ମାପି ବସେ ମନ ମାପକାଠିରେ।
ନିଜ ଭିତରକୁ ଚାହିଁ କେହି ଦେଖେନା
କି ଭାବେନା ଅନ୍ତର୍ବିଶ୍ୱର ରୂପ,
ଯନ୍ତ୍ରମଣିଷ ସାଜି କେତେଥର
ଆତ୍ମାକୁ କରିଛି ବିକୃତ, ବିଖଣ୍ଡିତ !!
କେବେ କେବେ ଆଖିକୁ ଦିଶୁଥାଏ
ଭିନ୍ନ ଏକ ପୃଥିବୀର ପରିଦୃଶ୍ୟମାନ
ଛବି, ଯାହାକୁ ପଛରେ ଛାଡି ଆସିଛୁ।
ମନେ ନ ଥାଏ ପିଲାଦିନେ ପଢିଥିବା
ଭାଗବତର ଦିବ୍ୟ ମହତ ବାଣୀ
"ମଣିଷ ଦେହେ ଦିବ୍ୟଜ୍ଞାନ
ଦେଖି ସନ୍ତୋଷ ନାରାୟଣ।"
ମନେ ନ ଥାଏ ଜେଜେମାଆ ଠାରୁ
ଶୁଣିଥିବା ରଜା, ମନ୍ତ୍ରୀ, କଟୁଆଳ
ପୁଅଙ୍କ କାହାଣୀ। କଳ୍ପନାକୁ ରୂପ
ଦେଇ କେମିତି ଜଙ୍ଗଲରେ ରାତି
କଟେଇ ଗଢିଥିଲେ ମାଟି କାଦୁଅରେ
ସ୍ୱପ୍ନର ଅପୂର୍ବ ଜୀବନ୍ତ କଣ୍ଢେଇ।
ଏବେ କିନ୍ତୁ ଗଢା ଚାଲିଛି ପ୍ରାଣହୀନ
ମଣିଷ ଆକୃତିର ଦାମୀ ବାର୍ବିଡଲ
ବେଡ଼ ରୁମ ଶୋଭା ବଢ଼ାଇବାକୁ।
କେହି ଭାବୁନି ଅବକ୍ଷୟୀ ସମୟର
ପରିଦୃଶ୍ୟର ଅଦୃଶ୍ୟ ନଈରେ
କୁଆଡେ ଭାସି ଭାସି
ଯାଉଛି ଆମ ଜୀବନ !!
*******