ପରିଚୟ ଖୋଜେ ଫୁଲ
ପରିଚୟ ଖୋଜେ ଫୁଲ
ଫୁଲ ତା'ର ପରିଚୟ ଖୋଜେ
ଏ ଖୋଜିବାଟା ତା'ର ଆଜିକାଲି ର
ଘଟଣା ନୁହେଁ ବରଂ ଯୁଗ ଯୁଗରୁ
ତା'ର ନିରୀହ ମନରେ
ଅନେକ ଅସମାହିତ ପ୍ରଶ୍ନ
ଉତ୍ତର ପାଇବାର ଆଶାରେ
ବିକଳ ତା'ର ମନ।
ତା'ର ପରିଚୟ ତା'ର ଅପରୂପ ସୌନ୍ଦର୍ଯ୍ୟ ପାଇଁ
ନାଁ ତା'ର ମଧୁର ବାସ୍ନା ପାଇଁ?
ହେଲେ ତାକୁ ଉତ୍ତର ଜଣା ନାହିଁ।
ଜାଣିବାର ପ୍ରୟାସ ରେ ସେ ଜନ୍ମ ରେ
ବଧେଇ ଦେବାଠାରୁ ଆରମ୍ଭ କରି
ଶବ ଉପରେ ନିଜକୁ ବିଛାଇ ମଶାଣି
ଯାଏଁ ସେ ଯାଇ ଯୁଇରେ ଜଳିଛି।
ଆଉ ଏତିକି ସିଏ ଭଲରେ ଜାଣିଛି
ଯେ ଏଠି ଆବଶ୍ଯକତା ରେ ସବୁ ଜିନିଷ ବହୁମୂଲ୍ଯ
ଆଉ ସ୍ୱାର୍ଥ ପୂରଣ ପରେ ସେସବୁ ମୂଲ୍ଯହୀନ ବୋଲାଏ।
ଯେମିତି ଭଗବାନଙ୍କ ପାଖରେ ସଦ୍ଯ ପ୍ରସ୍ଫୁଟିତ ଫୁଲ
କୁ ନେଇ ମଣିଷ ନିଜର ମଙ୍ଗଳ କାମନା କରି
ପୂଜିଥାଏ ଆଉ ତା' ପରେ
ବାସି ହେଲେ ଅନତି ଦୂରକୁ ଫିଙ୍ଗି ଦିଆଯାଏ।
ବାସର ରାତିରେ ପ୍ରଣୟ ବେଳାରେ ଶେଯରେ
ସେ ଶୋଭାପାଏ ଆଉ ତା' ପରେ ମଉଳା ଫୁଲ
ହୋଇ ଅଳିଆଗଦା ରେ ନିଜ ଅସ୍ଥିତ୍ଵ ହରାଏ।
କ୍ଷୁଦ୍ର ତନୁ, ଅପରୂପ ସୌନ୍ଦର୍ଯ୍ୟ ର ଅଧିକାରିଣୀ
ମଧୁମୟ ବାସ୍ନାରେ ଜୀବନ କୁ ବାସମୟ କରେ
ଏସବୁ ଜାଣି ଯେ ସେ ଝରା ଫୁଲ ଆଉ କିଛି କ୍ଷଣରେ
ତା'ର ଶରୀର ର ବିଲୀନ ହେଲେ ସେସବୁକୁ ଚିନ୍ତା
ନକରି ତା'ର କର୍ମ ରେ ସେ ବ୍ୟସ୍ତ ଆଉ
ବାସ ବିତରିତ କରି ସମାଜକୁ କରାଏ ସନ୍ତୁଷ୍ଟ।
ନାଁ ଅପରୂପ ସୈାନ୍ଦର୍ଯ୍ୟ ନାଁ ସୁଗନ୍ଧ ବରଂ
ଫୁଲ ର ମହାନତା ହିଁ ତା'ର ପରିଚୟ।
