ପରିବାର
ପରିବାର
ସୁଖ ଲାଗେ ସଂସାର,
ଥିଲେ ଗୋଟେ ପରିବାର
ଜେଜେବାପା ଜେଜେମା,
ବଡ ବାପା ଓଗେର ।
ଦାଦା ଭାଈ ପିଉସୀ,
ବାପା ମା ମାଉସୀ
ଅପା ଖୁଡୀ ବଦବୋଉ,
ସାଇ ଭାଈ ପଡୋଶୀ ।
ସରଗ ପରି ସୁନ୍ଦର,
ଥିଲେ ଯୌଥ ପରିବାର
ମିଳିମିଶି ଚଳୁଥୁବା,
ପାଇ ସ୍ନେହ ଆଦର ।
ସୁଖ ଦୁଃଖ ବାଣ୍ଟିବା,
କାନ୍ଦିଲେ ବି ହସିବା
ସମଦର୍ଶୀ ସମଭାବ,
ଆପଣାର କରିବା ।
ପରସ୍ପର ବୁଝାମଣା,
ସ୍ନେହ ପ୍ରୀତି ନୁହେଁ ଊଣା
ଭକ୍ତି ଭାବେ ପାଇବା,
ଗୁରୁଜନ କରୁଣା ।
ସୁଖ ଶିରୀ ଏଇଠି,
ପରିବାର ଯେଉଁଠି,
ଦେବତା ବି ଝୁରନ୍ତି,
ଖୁସୀ ଆଉ କେଉଁଠି ।
ପରିବାର ନଥିଲେ,
ଛାଇ ନାହିଁ ମୁଣ୍ଡରେ
ଏକୁଟିଆ ଜୀବନ,
ଶୁଷ୍କମରୁ ସମାନ।
ବଞ୍ଚିବାର ସାହାରା,
ପରିବାର ଆସରା
ଭାଈ ବନ୍ଧୁ ପରିଜନ,
ସାହସର କିନାରା ।
ବିପଦରେ ବଳ ଦିଏ,
ସୁଖବେଳେ ସାଥେ ଥାଏ
ଜନମରୁ ଯୁଇଯାଏଁ ,
ଦିନରାତି ଆଶ୍ରାହୁଏ ।
ଗୁରୁଜନ ଆଶୀଷ,
ମଥାପରେ କଳସ
ସ୍ନେହ ଶ୍ରଦ୍ଧା ଆକର୍ଷଣ,
ଲଘୁଜନେ ବିଶେଷ ।
ଜିଇଁବାର ସାଧନା,
ଦେବାଦେବୀ ଉପାସନା
ପରିବାର ମଧ୍ୟେ ରହି,
ପରମାର୍ଥ କାମନା ।
ପରିବାର ଜଞ୍ଜାଳ,
ଦେବତାଙ୍କୁ ସପନ
ଯୁଗେ ଯୁଗେ ଶ୍ରେଷ୍ଠ ତପ,
ପରିବାର ପୋଷଣ
ଏହି ଗୃହ ଆଶ୍ରମ,
ଶୁଦ୍ଧପୂତ ସଂଯମ
ଜୀବନର ପରୀକ୍ଷା,
କରିଥାନ୍ତି ତର୍ଜମା ।
କୋଟି ପୂଣ୍ୟ ତପସ୍ୟା,
ମିଳେ ଏଠି ସହସା
ପିତାମାତା ଗୁରୁଜନ,
ଏହି ମୋର ଦେବତା ।
ପୂଜୁଥିବା ପୟର,
ଭାବୁଥିବା ଠାକୁର,
ଛୋଟ ଗୋଟେ ମନ୍ଦିର,
ଏହି ପରିବାର ମୋର ।
