ପ୍ରେମଚିଠି
ପ୍ରେମଚିଠି
ମନ ଅଣାୟତ୍ତ ହେଲା
ହୃଦୟ ଆନ୍ଦୋଳିତ ହେଲା
ଆଖିର ଲାଜକୁଳୀ ଇସାରାରେ ତୁମ
ନବଯୌବନ ର ପସରାରେ ତୁମ
ବିମୋହିତ ହେଲାପରେ ।
ତୁମ ଶ୍ରୀ ଅଙ୍ଗ ରୂପ ମାଧୁରୀ କୁ
ଆଖିରେ ଆଖିରେ ଚାଖି
ଭାବ ପରଖି ମନ ନିରେଖି
ପ୍ରଥମ ପ୍ରେମର ନିବେଦନ ଭାବ
ଭାଷାରେ ଭାଷାରେ ଜାକି
ପ୍ରେମ ଚିଠି ଟି ତୁମରି ନାଆରେ
ଲେଖିଥିଲି ପ୍ରାଣ ସଖୀ ।
କେତେ ଲୋକଲଜ୍ଜା କେତେ ଶରମ ଭୟ
ହାତରେ ଧରେଇବାକୁ କେତେ ଯେ ଭୟ
କାଳେ କିଏ ଜାଣି ଯିବ ?
ଘରେ କାଳେ କହିଦେବ ?
ସେଥିପାଇଁ ଗୋପନେ ପହିଲି ଚିଠି ମୋ
ଯତନେ ସାଇତି ବହି ମଲାଟ ରେ
ଡରି ଡରି ହାତେ ତୁମ ଦେଇଥିଲି ଧରେଇ
କଲେଜ୍ ବାଟରେ ।
ଆସିଥିଲା ପ୍ରତ୍ୟୁତ୍ତର ତୁମ
ଡାକ ଲଫାଫା ଦେଇ
ଖାଲି ପ୍ରେମ ସ୍ଵୀକୃତି ନୁହେଁ
ମୋ ଜୀବନ ଯଉବନ ତଟେ
ଅମୃତ ପୟୋଧି ନେଇ ।
ହେଲେ ଯେତେ ଚେଷ୍ଟା କଲେ ବି
ପ୍ରେମ ଲୁଚେ ନାହିଁ କି ଲୁଚିଲା ନାହିଁ
ହୁରି ପଡ଼ିଗଲା ବାଟରେ ଘାଟରେ
ପ୍ରେମ ନିନ୍ଦା କଳା ଲାଗିଲା
ଆମ ଲଲାଟରେ ।
ଆଉ ତାପରେ ..
....
ପୃଥିବୀ ବକ୍ଷରେ ଲେଖାହେଲା ପୁଣି
ଆଉ ଏକ ବିଚ୍ଛେଦ ପ୍ରେମ କାହାଣୀ
ଯାହା ଥିଲା ଆମ ଲଲାଟ ରେ ।
ତୁମ ବିବାହ ପୂର୍ବରୁ
ଆସିଥିଲା ଶେଷ ଚିଠି ।
ସବୁ ସମ୍ପର୍କ ତୁଟେଇ
ତୁମେ ଚାଲିଗଲା ପରେ
ମୋ ଅଶ୍ରୁଳ ଭାବନା କୁ ଆଜି ବି
ସଂଜୀବିତ କରି ରଖିଛି
ତୁମର ସେ ପ୍ରଥମ ଚିଠି
ମୋ ପ୍ରେମ ର ଗଣ୍ଠି ।
ସିନ୍ଦୂକ ଭିତରେ ରଖିଛି ସାଇତି
ସୁନା ଗହଣା ଠୁ ଅଧିକ ଯତ୍ନରେ
ମୋ ସକଳ ପ୍ରେମ ଅନୁରାଗ ଗୁନ୍ଥି
ମୋର ସେ ପ୍ରେମ ଚିଠି ରତ୍ନରେ ।
ସତରେ ....
ହୃଦୟହୀନ ଯଦିଓ ଏ କାଗଜ ଚିଠି
ମୋ ସହ କରିନି ତ କେବେ ପ୍ରତାରଣା
ତୁମେ ହୃଦୟବତୀ ଜାଣି ହୃଦ ହାରିଲି ଯେ
ତମେହିଁ ଶେଷ ରେ କଲ ପ୍ରତାରଣା ।
ଆଜି ବି ସେ ପ୍ରଥମ ଚିଠି ସ୍ପର୍ଶରେ
ମୋ ହୃଦ, ପ୍ରେମେ ତରଙ୍ଗାୟିତ ହୁଏ
ଆଉ ଶେଷ ଚିଠି ପଢି ମୋ ବେନି ଅଧର
ନେତ୍ର ଲୁଣି ଜଳ ପିଏ ।
ଏଇ ଚିଠି ଆଜି ମୋ ପ୍ରାଣ ପ୍ରିୟତମା
ପ୍ରିୟାପ୍ରତିମା ରସ ରଙ୍ଗିନୀ କୃଷ୍ଣା
ଛାତିରେ ଜାବୁଡ଼ି ଧରିଲେ ତାକୁ
ମେଣ୍ଟିଯାଏ କୃଷ୍ଣ ର କୋଟି ବିରହ ତୃଷ୍ଣା ।