ପ୍ରେମ
ପ୍ରେମ
ପ୍ରେମ ଅଟେ ପୂଜା ପ୍ରେମ ହିଁ ଶାଶ୍ୱତ
ପ୍ରେମ ନୈସ୍ୱର୍ଗିକ ଧାରା
ପ୍ରକୃତ ପ୍ରେମର ନଥାଏ ବିଲୁପ୍ତି
ଜନ୍ମଜନ୍ମାନ୍ତର ପରା l
ପ୍ରେମ ଏକ ସ୍ରୋତ ତରଙ୍ଗିନୀ ଧାର
ସଦା ସେ ପ୍ରବହ ମାନ
ବାଧା କିଛି ତାକୁ ରୋକି ପାରେନାହିଁ
ଉଛୁଳା ଆବେଗ ପ୍ରାଣ l
ପ୍ରେମୀର ହୃଦୟ ବିଶାଳ ଉଦାର
ପ୍ରେମ ତା ପାଇଁ ତପସ୍ୟା
ଜୀବନକୁ ସିଏ ବାଜିରେ ଲଗାଏ
ଆସୁବି ଯେତେ ସମସ୍ୟା l
ହେଉ ଯେତେ ନିନ୍ଦା ଅବା ଅପବାଦ
ପ୍ରେମୀର ଖାତର ନାହିଁ
ଉଚ୍ଚ ନୀଚ ଭାବ ତା ପାଖେ ନଥାଏ
ସମାଜ ରୀତିକୁ ଚାହିଁ l
ବିରହ ମିଳନ ଉଭୟ ସ୍ଥିତିରେ
ଏକନିଷ୍ଠ ତାଙ୍କ ପ୍ରାଣ
ଜଣକ ପାଇଁକି ଆଉ ଜଣେ କାନ୍ଦେ
ଉତ୍ସର୍ଗୀକୃତ ଜୀବନ l
ଦୂରତା ପ୍ରେମକୁ ଦୂରେଇ ପାରେନା
ଯେହ୍ନେ ପଦ୍ମ ଦିବାକର
ନିଶିଥରେ କଇଁ ରହିଥାଏ ଚାହିଁ
ଚନ୍ଦ୍ରଙ୍କ ଜୋଛନା ଧାର l
ପ୍ରେମଟି କେବେ ମରି ପାରେ ନାହିଁ
ଯେଉଁ ରୂପେ ଅବା ହେଉ
ଥାଏ ଯଦି ତହିଁ ନିଷ୍ଠାପର ଭାବ
ଦିଶୁ ଥାଏ ଦାଉ ଦାଉ l
ରାଧା କୃଷ୍ଣ ପ୍ରେମ ଅଟେ ଚିରନ୍ତନ
ଦୁହେଁ ଦୁହିଁଙ୍କର ଅଧା
ଏକ ଆତ୍ମା ଦୁହେଁ ଦୁଇଟି ଦେହରେ
ଗୋଟିଏ ସ୍ୱରରେ ଛନ୍ଦା l
ପ୍ରେମ ଖୋଜେ ନାହିଁ ପ୍ରତିଦାନ କିଛି
ସମର୍ପଣ ତାର ଭାବ
ନାହିଁ ସ୍ୱାର୍ଥ ଚିନ୍ତା ନାହିଁ ଭୋଗ ଲିପ୍ସା
ପ୍ରକୃତ ପ୍ରେମ ସ୍ଵଭାଵ l
ଅଷ୍ଟପାଟବଂଶୀ ଥାଉ ଥାଉ ପରା
ଶ୍ରେଷ୍ଠ ହେଲା ରାଧା ପ୍ରେମ
ରାଧା କୃଷ୍ଣଙ୍କର ଯୁଗଳ ମୂରତି
ପୂଜା କରେ ଧରା ଧାମ l