STORYMIRROR

Niranjan Mishra

Romance

4  

Niranjan Mishra

Romance

ପ୍ରେମ

ପ୍ରେମ

1 min
333


ପ୍ରେମର ମୂରତି ରାଇଦାମୋଦର

ତାଙ୍କ ପ୍ରେମ ଅପ୍ରାକୃତ ।

ମନ ଅଗଣାର ତାଙ୍କ ପ୍ରେମ ସଦା

ହୁଅଇ ମୋର ଝଙ୍କୃତ ।୧।

ଯମୁୁନା କୂଳର କଦମ୍ବ ମୂଳରେ

କୃଷ୍ଣ ହେଲେ ଉପଗତ ।

ବଇଁଶୀ ବଜାଇ ରାଇ ରାଇ ବୋଲି

ଡାକିଲେ କାହ୍ନୁ ସତତ ।୨।

ପ୍ରେମ କାଙ୍ଗାଳୁଣୀ ରାଇକିଶୋରୀ ସେ

ଶୁଣିଲେ ବଇଁଶୀ ସ୍ୱନ ।

ତରତର ହୋଇ କାଳିନ୍ଦୀ ତଟକୁ

କରିଲେ ଶୀଘ୍ର ଗମନ ।୩।

କୃଷ୍ଣଙ୍କୁ ଭେଟିଲେ ଯେବେ ନୀପ ମୂଳେ

ପାସୋରିଲେ ସବୁ ଦୁଃଖ।

ଭାବ ବିନୋଦିଆ କଦମ୍ବ ମୂଳିଆ

କଳାକାହ୍ନୁ ଦେଲେ ସୁଖ ।୪।

ପ୍ରେମେ ମତ୍ତ ହୋଇ କହୁଛନ୍ତି ରାଇ

ବ୍ରଜରେ ବାଜେ ନାଗରା ।

କାହ୍ନୁ ସମ ଚିତ୍ତ ଚୋର ଅଛି କିଏ

ରାଧା ସମ ଚିତ୍ତ ଚୋରା ।୫।

ବଇଁଶୀକୁ ଯେତେ କହୁଛି ବୁଝାଇ

ଡାକନା ଡାକନା ମୋତେ ।

କି ଯାଉଛି ତାର ନ ଶୁଣେ ସେ କିଛି

ଯିବ କି କେହି ପରତେ ।୬।

ଶରଣ ପଶିଲି ଚରଣେ ତାହାର

କେତେ ନେହୁରା ମୁଁ ହେଲି ।

କିଛି ନ ଶୁଣିଲା କାହ୍ନୁ ପ୍ରେମେ ପଡି

ବୋଲେ ରାଇ ରାଇ ବୋଲି ।୭।

ଅନ୍ତର ବେଦନା କାହାକୁ କହିବି

ଶୁଣିବ ମୋ କଥା କିଏ ?

ସାରା ରାଇଜରେ ରାଧାକୃଷ୍ଣ ପ୍ରେମ

ଡିଣ୍ଡିମ ବାଜୁଛି ହାଏ ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance